ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ମାଛ ଚାଷ ନିମନ୍ତେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନାଙ୍କୁ ମାଛ ଚାଷ କରି ସ୍ବାବାଲମ୍ବୀ ହେବାକୁ ଆହ୍ବାନ ଦେଇଥିବା ବେଳେ ଏଥିପାଇଁ ବ୍ଲକ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ । ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ ନାଏକ କିପରି ମାଛ ଚାଷ କରାଯିବ, ମାଛର ଯତ୍ନ କିପିରି ନିଆଯିବ, ବିଭିନ୍ନ ରୋଗରୁ କିପରି ମାଛ ମାନଙ୍କୁ ଦୁରେଇ ରଖି ହେବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ମିଶନ ଶକ୍ତିରୁ ଯଶୋବନ୍ତି ନାଏକ ଉପସ୍ଥିତ ରହି ମାଛ ଚାଷ କରି ରୋଜଗାର କ୍ଷମ ହେବାକୁ ହେଲେ ମହିଳାମାନଙ୍କୁ ଆଗକୁ ଆସିବାକୁ ପଡିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ୧୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।