ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏମ୍ଆଇ ଅଫିସ ଆଗରେ ଧାରଣାରେ ବସିଛନ୍ତି ଗୋଲାମୁଣ୍ଡା ନିବାସୀ ଜନ୍ମେଜୟ ମାଝୀ । ବର୍ଷେ ନୁହଁ କି ଦି ବର୍ଷ ନୁହଁ ଦୀର୍ଘ ୩୭ ବର୍ଷ ଧରି ସେ ହକ୍ ର ଲଢେଇ ଲଢ଼ୁଛନ୍ତି । ବିଭିନ୍ନ କାର୍ଯ୍ୟାଳୟ ଯାଇ ଥକି ଗଲେଣି କିନ୍ତୁ କେହି ତାଙ୍କର ଦୁଃଖ ଶୁଣୁନାହାନ୍ତି, ତେଣୁ ସେ ଏମ୍ଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ ୧୯୮୫ ମସିହାରେ ଗୋଲାମୁଣ୍ଡା ଠାରେ ଏମ୍ଆଇ କାଠିକୁଟା ପ୍ରୋଜେକ୍ଟରେ ଜନ୍ମେଜୟ ମାଝୀଙ୍କ ପିତୃଅର୍ଜିତ ସଂପତ୍ତି ୩.୫୯ ଏକର ଜମି ପାଣିରେ ବୁଡିଯାଇଛି । ଜନ୍ମେଜୟଙ୍କ କହିବା ଅନୁଯାୟୀ ୨୦୧୭ରେ ସରକାରଙ୍କ ସହ କ୍ଷତିପୁରଣ ପାଇଁ ଏଗ୍ରିମେଣ୍ଟ ହୋଇଥିଲା । ତେବେ ଆଜିଯାଏ କୌଣସି ପ୍ରକାର ସହାୟତା ନମିଳିବାରୁ ଦୀର୍ଘ ଦିନରୁ ଆଦିବାସୀ ବିଭାଗ ଠାରୁ ଆରମ୍ଭ କରି ସବୁ କାର୍ଯ୍ୟାଳୟକୁ ଅଭିଯୋଗ କରି କରି ଥକି ଗଲେଣି ।
୧୯୮୫ ଠାରୁ ନିଜର ଅଧିକାରର ଲଢ଼େଇ ନିଜେ ଏକା ଏକା ଲଢୁଛନ୍ତି । ଶେଷରେ ନିରାଶ ହୋଇ ସେ ଭବାନୀପାଟଣା ଏମ୍ଆଇ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଭାଗୀୟ କତୃପକ୍ଷ ଶୀଘ୍ର ତାଙ୍କ ଦୁଃଖ ନ ଶୁଣିଲେ ସେ ନିଜ ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି । ଜଣେ ଆଦିବାସୀ ବ୍ୟକ୍ତି ନ୍ୟାୟ ନପାଇ ଦୀର୍ଘ ୩୭ ବର୍ଷ ଧରି ହଇରାଣ ହରକତ ହେଉଥିବାବେଳେ କିପରି ତାଙ୍କ ସମସ୍ୟାର ସମାଧାନ ହେଉନାହିଁ ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏହି ଘଟଣାର ଉଚିତ୍ ତଦନ୍ତ ସହ ନ୍ୟାୟ ପ୍ରଦାନ କରି ଏହି ନିରୀହ ଗରୀବ ଆଦିବାସୀ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।