✍🏼ଡା ଇପ୍ସିତା ପ୍ରଧାନ
“କାମାକ୍ଷା” ଡାକ ଦେଇ,
ସେମାନେ ରୋଜ-
ମୋ’ ପାଖରେ ଅଧିଆ ପଡ଼ନ୍ତି !
ପୁଣି ସେମାନଙ୍କର-
‘କାମନା’ର ମୁନିଆ ନଖ ଆଉ ଦାନ୍ତ,
ରୋଜ ଖିନଭିନ୍ କରେ ମୋତେ!!
ସେମାନଙ୍କ ଛାତିର ରକ୍ତରେ କେଶ ପଖାଳି,
ମୋ ବିବସ୍ତ୍ର ଦେହକୁ ସଜାଡି,
ମୁଁ ଦେଖେ –
ସେମାନଙ୍କ ହସ୍ତୀନାପୁର
ଭଷ୍ମ ହେବାର ଦୃଶ୍ୟ!!
ମୋ ଖଡ୍ଗ-ଖପ୍ପର ଧାରିଣୀ ରୂପକୁ ଦେଖି,
ସେମାନଙ୍କ ଆଖି ଯେବ-
‘ତୁ କିଏ’…..’ତୁ କିଏ’ ର ପ୍ରଶ୍ନରେ ଭରିଯାଏ;
ଲହଲହ ଜୀହ୍ବା କାଢି ମୁଁ କୁହେ,
“ମୁଁ ନାରୀ ଆଉ ମୋ’ ଧର୍ମ ବି ନାରୀ”!!
ଭୁବନେଶ୍ୱର