ନାରାୟଣ ପ୍ରସାଦ ପଟ୍ଟନାୟକ ପାଇବେ ମହାବୀର ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଜଣେ ସୁଯୋଗ୍ୟ କୃତୀ ସନ୍ତାନକୁ ତାଙ୍କର ଅନନ୍ୟ ପ୍ରତିଭା ନିମନ୍ତେ ‘ମହାବୀର ସମ୍ମାନ’ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ଵାରା ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ବିଶିଷ୍ଟ ସୁଲେଖକ, ଓଡ଼ିଆ ଚଳଚ୍ଚିତ୍ର ଗୀତିକାର, ଶିକ୍ଷାବିତ୍ ନାରାୟଣ ପ୍ରସାଦ ପଟ୍ଟନାୟକଙ୍କୁ ଚଳିତ ବର୍ଷର ‘ମହାବୀର ସମ୍ମାନ’ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥୁବା ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହଦେଓ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କଳାହାଣ୍ଡିରୁ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ସମର୍ପଣ’ ଓ ‘ପଳାତକ’ର ଗୀତିକାର। ‘ଇନ୍ଦ୍ରଧନୁର ସପ୍ତରଂଗୁ ସବୁ ତ ଯାଇଛି ଲିଭି’ ନିମନ୍ତେ ଓଡ଼ିଶାର ଘରେଘରେ ପରିଚିତ। ତାଙ୍କର ‘ବିବର୍ଣ୍ଣ ପୃଥବୀ’, ‘ସାରାରାତି’, ‘ହେ ନାଗରିକଗଣ’ ଆଦି ଗଳ୍ପ ସଂକଳନ ପ୍ରକାଶିତ। ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର ଶ୍ରୀ ପଟ୍ଟନାୟକଙ୍କର ଗୀତ ଗୁଡ଼ିକ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଚାରିତ। ସେ କଳାହାଣ୍ଡିରେ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ସମ୍ପର୍କୀୟ ପୁସ୍ତକ ରଚନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୦୦୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ, ଉତ୍କଳ ସାହିତ୍ୟ ସମାଜ କଟକ, ବିଦ୍ୟାଭୂଷଣ ଏକାଡ଼େମୀ ଜୟପୁର ଏବଂ ଅନେକ ସାରସ୍ଵତ ଅନୁଷ୍ଠାନ ଦ୍ଵାରା ସମ୍ମାନିତ। ଏହି ବହୁମୁଖୀ ପ୍ରତିଭାଙ୍କୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ଵାରା ପ୍ରଦତ୍ତ ମାନପତ୍ର, ଉପଢୌକନ ଓ ସମ୍ମାନ ବାବଦକୁ ଥିବା ଅର୍ଥରାଶି ଆଗାମୀ ନଭେମ୍ବର ୧୪ରେ ହେବାକୁ ଥିବା ‘ମହାବୀର ମହୋତ୍ସବ’ ଅବସରରେ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.