ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ ): ପିଡିଏସ୍ ଚାଉଳ ଚୋରାଚାଲାଣରେ ସଂପୃକ୍ତ ଥିବା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତର ମାଁ ଭୈରବୀ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଦାୟିତ୍ବରୁ ହଟାଇ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ । ଏନେଇ ସେ ଏକ ନିର୍ଦ୍ଦେଶନାମା ଜାରି କରିବା ସହିତ ପିଡିଏସ୍ ଚାଉଳ ଚୋରାଚାଲାଣ ଘଟଣାରେ ସଂପୃକ୍ତ ଥିବା ମାଁ ଭୈରବୀ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ତୁରନ୍ତ ଦାୟିତ୍ବରୁ ହଟାଇବା ସହିତ ଲାଖବାହାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବେନଗାଁ ଗ୍ରାମ ପଞ୍ଚାୟତର ପିଡିଏସ୍ ଚାଉଳ ବଣ୍ଟନ ଦାୟିତ୍ଵ ଦେବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସ ୧୮ ତାରିଖ ଗୁରୁବାର ରାତି ୧୧ ଘଣ୍ଟା ସମୟରେ ବେନଗାଁ ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟନ କରାଯିବା ବଦଳରେ ୧୪ କ୍ୱାଇଣ୍ଟାଲ ଚୋରାଚାଲାଣ ହୋଇଥିଲା । ଏକ ଅଟୋ ଯୋଗେ ଚାଉଳ ଚୋରାଚାଲାଣ ହେଉଥିବା ସମୟରେ ଗ୍ରାମବାସୀ କାବୁ କରି ପଞ୍ଚାୟତରେ ତାଲା ପକାଇଥିଲେ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର ଦେଢ଼ ମାସ ପରେ ମାଁ ଭୈରବୀ ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଚୋରାଚାଲାଣ ଘଟଣାରେ ସଂପୃକ୍ତ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାପାଳ ମଙ୍ଗଳବାର ତୁରନ୍ତ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଚାଉଳ ବଣ୍ଟନ ଦାୟିତ୍ଵରୁ ହଟାଇବା ନିଷ୍ପତ୍ତି ନେଇଥିବା ଜଣାପଡିଛି ।