“ପ୍ରାଥମିକ ଶିକ୍ଷକମାନେ ହେଲେ ସରକାରଙ୍କ ସାବତ ପୁଅ” -ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନରେ ଠିକା କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଠିକା ଯୁଗ ଶେଷ ହୋଇଛି। ଇନିସିଆଲ ଏପଇଣ୍ଟିମାନଙ୍କୁ ନିୟମିତ କରାଯିବ ଓ ସେମାନଙ୍କ ଠିକା ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ୬ଟି ଇନକ୍ରିମେଣ୍ଟ ଦେଇ ଗଣାଯିବ। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଦାୟିତ୍ଵ ନେଲାବେଳେ ଆମ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା ଏବଂ ବର୍ତ୍ତମାନ ଓଡିଶାର ଆର୍ଥିକ ସଙ୍କଟ ନ ଥିବାରୁ ଠିକା ନିଯୁକ୍ତି ଉଚ୍ଛେଦ ହେଲା। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ଆର୍ଥିକ ସଙ୍କଟ ସମୟରେ ପ୍ରାଥମିକ ବିଦ୍ୟାଳୟରେ ସ୍ଵେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ଠିକା ଓ ଛୁଟିରେ ନିୟୋଜିତ କରିଥିଲେ। ପ୍ରଥମେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ୯ ବର୍ଷରେ ନିୟମିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଓ ପରେ ୬ ବର୍ଷିଆ ଠିକା ନିଯୁକ୍ତି ଓଡ଼ିଶାରେ କାର୍ଯ୍ୟ କଲେ। ସେହି ସମୟରେ ଓଡ଼ିଶାରେ ୮ ବର୍ଷ ଓ ୬ ବର୍ଷ କାର୍ଯ୍ୟ କଲା ପରେ ସ୍ଵେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଗଲା। ସେହି ଠିକା କାର୍ଯ୍ୟକାଳକୁ ଆଜି ପର୍ଯ୍ୟନ୍ତ ମୂଳ ଚାକିରୀରେ ଗଣନା କରାଗଲା ନାହିଁ। ବର୍ତ୍ତମାନ କନିଷ୍ଠ ଶିକ୍ଷକମାନଙ୍କର ମଧ୍ୟ ଠିକା ନିଯୁକ୍ତି କରାଗଲା ନାହିଁ। ରାଜ୍ୟରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କ ଠିକା ନିଯୁକ୍ତି ବାତଲି କରାଯାଇଥିବା ବେଳେ ଓ ସେମାନଙ୍କ ୬ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ୬ଟି ଇନକ୍ରିମେଣ୍ଟ ଦେଇ ଗଣନା କରାଯାଉଥିବା ବେଳେ ଠିକାରେ ୮ ବର୍ଷ ଓ ୬ ବର୍ଷ କାର୍ଯ୍ୟ କରି ନିୟମିତ ହୋଇଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସାବତ ପୁଅ ବୋଲି ବିଚାର କରିଛନ୍ତି। ନା ସେମାନଙ୍କ ଠିକା ନିଯୁକ୍ତି ବାତଲି କରିଛନ୍ତି ନା ସେମାନଙ୍କ ୮ ବର୍ଷ ଓ ୬ ବର୍ଷକୁ ମୂଳ ଚାକିରୀ ଗଣନା କରିଛନ୍ତି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି କି, ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ, ଠିକାରେ କାର୍ଯ୍ୟ କରିଥିବା ପ୍ରାଥମିକ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ୮ଟି ଓ ୬ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବେ। ନଚେତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବାଧ୍ୟ ହୋଇ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରିବ ଓ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉପୁଜିବାକୁ ଥିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସହୁ, କୋଷାଧ୍ୟକ୍ଷ ଗୋପାଳ ସେନ, କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ସୁଧାଂଶୁ ଭୂଷଣ ନାୟକ, ଜନ୍ମେଜୟ ମାଝୀ, ଶ୍ରୀକାନ୍ତ ବାରିକ, ସୁମନ ପାଳ, ଟୁଲୁ ଦେଇ, ରଶ୍ମିରଞ୍ଜନ ଧଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.