ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପାଳିତ ହେଉଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚାଲିଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତା ଶିକ୍ଷୟିତ୍ରୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଜଣେ ଶିକ୍ଷକଙ୍କ ଏତାଦୃଶ ଆଚରଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସମଗ୍ର ଶିକ୍ଷକ ସମାଜର ମୁଣ୍ଡ ଲଜ୍ଜାରେ ତଳକୁ ନଇଁଯାଇଛି । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଠାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ଦିନ ବିଶ୍ୱନାଥପୁର ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକର ୧୩ ଗୋଟି କ୍ଲଷ୍ଟରର କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏଇ ସମୟରେ ଅପରାହ୍ନରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ବିଶ୍ବନାଥପୁରର ଶିକ୍ଷକ ହେମସାଗର ପ୍ରଧାନୀ ଅସଦାଚରଣ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଶନିବାର ଦିନ ସଂପୃକ୍ତ ଶିକ୍ଷୟିତ୍ରୀ ବିଶ୍ବନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲା । ଏନେଇ କେସ୍ ନଂ ୭୪/୨୦୨୨ ଆଇପିସି ୩୫୪, ୩୫୪ଡି, ୫୦୯, ଏଟ୍ରୋସିଟି ଆଇନ-୨୦୧୫ ଅନୁଯାୟୀ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକକୁ କୋର୍ଟଚାଲାଣ କରାଯାଇଛି । କେସିଙ୍ଗା ଏସଡିପିଓ ଅଭିନବ ସୋନକରଙ୍କ ତତ୍ବାବଧାନରେ ବିଶ୍ବନାଥପୁର ଥାନାଧିକାରୀ ରୁନୁକୁମାରୀ ମାଝୀ ଘଟଣାର ତଦନ୍ତ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.