ସାଂସ୍କୃତିକ ସନ୍ଧ୍ୟା ସହ ସମାପନ ହେଲା ବେମାଲ ବଂଶୀୟ ଯାଦବଙ୍କ ଚାଉଳ ଧୁଆ ଓ ଦିଆଲ ପର୍ବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ କେଉଁ ଏକ ସ୍ମରଣାତିତ କାଳରୁ ବସବାସ କରି ଆସୁଥିବା ମଗଧା ଯାଦବ ମାନଙ୍କ ଏକ ସୁଦୃଢ ସଂସ୍କୃତି ଓ ପରମ୍ପରା ରହିଛି । ଏମାନେ ବର୍ଷ ତମାମ ବିଭିନ୍ନ ପର୍ବ ପର୍ବାଣୀ ସହ ଘର ପୂଜା ପାଳନ କରିଥାନ୍ତି । ସେଥି ମଧ୍ୟରୁ ଦିଆଲ ପର୍ବ ଅନ୍ୟତମ । ତେବେ ୧୨୦ ବଂଶୀୟ ମଗଧା ଯାଦବ ମାନଙ୍କ ମଧ୍ୟରୁ ଅଳ୍ପ କେତେକ ବଂଶ ହିଁ ଦିଆଲ ପର୍ବ ପାଳନ ସହ ଚାଉଳଧୁଆ ବିଧି ପାଳନ କରିଥାନ୍ତି । ଏହି କ୍ରମରେ ଚିଲିଗୁଡା ଠାରେ ବସବାସ କରୁଥିବା ବେମାଲ ବଂଶୀୟ ମଗଧା ଯାଦବମାନେ କୂଳାଚାର ବିଧି ଅନୁସାରେ ଚାଉଳ ଧୁଆ ଓ ଦିଆଲ ପର୍ବ ପାଳନ କରିଛନ୍ତି । ପୂର୍ବରୁ ଘର ଦ୍ୱାର ଲିପା ପୋଛା କରାଯାଇ ଦିଆଲ ଦିନ ପିତୃ ପୁରୁଷ ଓ ଇଷ୍ଟ ଦେବଙ୍କୁ ପୂଜାର୍ଚନା କରିଥାନ୍ତି ବେମାଲ ବଂଶଧର । ଏହି ସମୟରେ ଉତ୍ପନ୍ନ ହେଉଥିବା ନୁଆ ଧାନର ଅରୁଆ ଚାଉଳକୁ ଢେଙ୍କିରେ କୁଟି ଚୁନା ତିଆରି କରିଥାନ୍ତି । ନୂଆ ଅରୁଆ ଚାଉଳରେ ତିଆରି ପିଠୋଉ ଦ୍ବାରା ଉପାସନା ସ୍ଥଳରେ ବନା ଲେଖି ପୂଜା ଆରମ୍ଭ କରିଥାଆନ୍ତି । ଚାଉଳ ଚୁନାରୁ ପିଠା, କ୍ଷୀରି ତିଆରି କରି, ମା ଲଛମା, କନା ଭୈରୋକୁ ଭୋଗ ଲଗେଇ ପୂଜା ସମାପନ କରିଥାଆନ୍ତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରି ସନ୍ଧ୍ୟାରେ ପ୍ରସାଦ ଓ ଭୋଜନ ଦେଇ ଆପ୍ୟାୟିତ କରିଥାଆନ୍ତି ।

ପିତୃ ପୁରୁଷଙ୍କ ପ୍ରତି ସମର୍ପିତ ଭାବ ଓ ଭକ୍ତି ଏହି ପର୍ବରେ ଦେଖିବାକୁ ମିଳେ । ଏହାସହ ପଡୋଶୀ ଓ ବନ୍ଧୁ ବାନ୍ଧବ ଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି କରିବା ଏହି ପର୍ବର ଗୁରୁତ୍ୱ ବହନ କରିଥାଏ । ଏହି ଅବସରରେ ଚଳିତ ବର୍ଷ ବେମାଲ ପରିବାର ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଲବଣି ରାଉତ, ପିଣ୍ଟୁ ଭଇଁସାଲ ଯୋଗ ଦେଇଥିଲେ । ଚନ୍ଦାହାଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯାଦବଙ୍କ ଐତିହ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ବେମାଲ ପରିବାରର ପୂଜକ କୃଷ୍ଣଚନ୍ଦ୍ର ବେମାଲ, ଅଭିମନ୍ୟୁ ଗୋପାଳ, ଜୟଶଙ୍କର ବେମାଲ, ଗଙ୍ଗାଧର ବେମାଲ ଓ ପରିବାରର ସମସ୍ତେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.