ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ଦାବି

ଥାନା ଏବଂ ଏନଏସିରେ ଅଭିଯୋଗ, ୧୫ଦିନ ମଧ୍ୟରେ ବିଚାର କରାନଗଲେ ଜାତୀୟ ରାଜ ପଥ ଅବରୋଧ ଚେତାବନୀ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏନଏସିର ୱାର୍ଡ ନମ୍ବର ୧ଓ ୨ର ସମସ୍ତ ୱାର୍ଡବାସୀ ଜବରଦଖଲ ଉଚ୍ଛେଦ ପାଇଁ ଥାନା ଓ ଏନଏସି କତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ୧୫ଦିନ ମଧ୍ୟରେ ସେମାନଙ୍କ ଦାବି ପୁରଣ ନହୁଏ ତେବେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଓଡିଶା ରାଇସ ମିଲ ମାଲିକ ମୁଖ୍ୟ ରାସ୍ତାକୁ ଜବର ଦଖଲ କରି ଥିବାରୁ ଗମନାଗମନ କ୍ଷେତ୍ରରେ ୱାର୍ଡବାସୀ ମାନେ ଘୋର ଅସୁବିଧା ହେଉଛନ୍ତି । ଏନେଇ ୧ ଓ ୨ ର ୱାର୍ଡବାସୀଙ୍କ ସମେତ ସହରର କାଉନସିଲର ବୃନ୍ଦ ବଗାଡ଼ରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି କେସିଙ୍ଗା ଥାନା ଅଧିକାରୀ ଓ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ପୃଥକ୍ ପୃଥକ୍ ଭାବେ ସାକ୍ଷାତ କରି ସରକାରୀ ରାସ୍ତାକୁ ଉଚ୍ଛେଦ କରିବା ପାଇଁ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ‌। ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ରାସ୍ତା ଉଚ୍ଛେଦ ପାଇଁ ଏନଏସି ପକ୍ଷରୁ ଗତ ୨୦୧୪ ମସିହାରେ ଡିମାରକେସନ କରାଯାଇ ଥିଲା କିନ୍ତୁ ମିଲ ମାଲିକ ନିଜ ମର୍ଜିରେ ଜବର ଦଖଲ କରି ଆସୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଏହି ରାସ୍ତା ଅଣ ଓସାରିଆ ହୋଇଯାଇଛି । ଏ ନେଇ ୱାର୍ଡବାସୀମାନେ ମୁଖ୍ୟମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ନିକଟରେ ପୋର୍ଟାଲ ମାଧ୍ୟମରେ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉଚ୍ଛେଦ କରାନଗଲେ ୱାର୍ଡବାସୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୨୬ନଂ ଜାତୀୟ ରାଜ ପଥରେ ଗଣଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି । ଏହି ରାସ୍ତାକୁ ଉଚ୍ଛେଦ କରିବାପାଇଁ ଏନଏସିର କାଉନସିଲର ମଞ୍ଜୁଳା ସାହୁ, ଭୁପିନ୍ଦର ଘିଭେଲା, ରୋହିତ ଜୈନ, ଧରଣୀ ନାଏକ, ରମାକାନ୍ତ ଜେନା, ପ୍ରକାଶ ବନଛୋରଙ୍କ ସମେତ ଟୁନା ମହାପାତ୍ର, ପୂର୍ବତନ କାଉନସିଲର ରଞ୍ଜନ ବେହେରାଙ୍କ ସମେତ ଶତାଧିକ ୱାର୍ଡବାସୀ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.