ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ବିଶିଷ୍ଟ କଳାକାର, ନୃତ୍ୟଶିଳ୍ପୀ, ବାଦ୍ୟକାର ତଥା ନୃତ୍ୟ ଓ ନାଟକ ନିର୍ଦେଶକ ଭୁବନେଶ୍ୱର ବାଗ (ବୁନ୍) ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଦେବଗିରି ଲୋକକଳା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଶ୍ରୀ ବାଗ ବଜନିଆ, ରସରକେଲି ଓ ଢାପ୍ ନୃତ୍ୟକୁ ସାରା ଭାରତବର୍ଷର କୋଣ ଅନୁକୋଣରେ ପରିବେଷିତ କରି ଏହି ଅନନ୍ୟ ଲୋକକଳାର ପ୍ରଚାର ପ୍ରସାର କରିଛନ୍ତି। ସେ ଗୌହାଟି, ହରିଦ୍ଵାର, ପଞ୍ଜାବ, ଚେନ୍ନାଇ, ଖଡ଼ଗପୁର, ଚକ୍ରଧରପୁର, ଆଦ୍ରା, ସିଆଲଦା, ବିଶାଖାପାଟଣା, ହାଇଦ୍ରାବାଦ, ବାଙ୍ଗାଲୋର, ଭୁଷାବାଲ, ଉଜ୍ଜୟିନୀ, ବିଳାସପୁର, କୁରୁକ୍ଷେତ୍ର, ପାଟନା, କାଜିରଙ୍ଗା ସମେତ ଓଡିଶାର ଅନେକ ମହୋତ୍ସବରେ ନିଜର କଳା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳସଚିବ ଡ଼. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବାଗଙ୍କୁ ଦେବଗିରି ଲୋକକଳା ସମ୍ମାନରେ ସମ୍ମାନୀତ କରିଥିଲେ।