ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ -ଜୟଶଙ୍କର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ଆତଙ୍କବାଦକୁ ନେଇ ଦୁଇ ପଡୋଶୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ଏକ ବିପଦ । ଆତଙ୍କବାଦର କେନ୍ଦ୍ରସ୍ଥଳ ସକ୍ରିୟ ରହିଛି । ଚୀନ ଓ ଏହାର ଘନିଷ୍ଠ ମିତ୍ର ଦେଶ ପାକିସ୍ତାନକୁ ଏହା କହି ଟାର୍ଗେଟ କରିଛନ୍ତି ଜୟଶଙ୍କର । ଜାତିସଂଘ ସୁରକ୍ଷା ପରିଷଦ(UNSC) ବୈଠକରେ ବକ୍ତବ୍ୟ ରଖିଲା ବେଳେ ସେ ଏପରି କହିଛନ୍ତି । UNSC ରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ‘କାଶ୍ମୀର’ ମନ୍ତବ୍ୟକୁ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି, ପାକିସ୍ତାନ ସୀମା ପାର ଆତଙ୍କବାଦ କରିଆସୁଛି । କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନକୁ ଶରଣ ଦେବା ଓ ଭାରତୀୟ ସଂସଦ ଉପରେ ଆକ୍ରମଣ କରାଇଛି ପାକିସ୍ତାନ । ସେ କହିଛନ୍ତିଯେ, ଦକ୍ଷିଣ ଏସିଆରେ ଆତଙ୍କାବଦ ନେଟଓ୍ୱର୍କ ବେଶୀ ସକ୍ରିୟ ରହିଛି । ଅଲକାଏଦା, ଲସ୍କର-ଏ-ତୋଇବା ଓ ତାଲିବାନ ଭଳି ଅନେକ ଆତଙ୍କବାଦୀ ଗୋଷ୍ଠୀଙ୍କ ପାଇଁ ପାକିସ୍ତାନ ନିରାପଦ ସ୍ୱର୍ଗ । ଭବିଷ୍ୟତରେ ବଡ଼ ଆତଙ୍କବାଦ ଆକ୍ରମଣକୁ ନେଇ ସେ ସାବଧାନ ରହିବାକୁ ଚେତାବନୀ ଦେଇଛନ୍ତି । ୯/୧୧ ଓ ୨୬/୧୧ ଭଳି ଘଟଣା ନଘଟିବା ପାଇଁ ବିଶ୍ୱ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ଜୟଶଙ୍କର ।

UNSC ରେ ଜୟଶଙ୍କରଙ୍କୁ ଜଣେ ସାମ୍ୱାଦିକ ପଚାରିଥିଲେ, ‘ଦକ୍ଷିଣ ଏସିଆରେ ଆତଙ୍କବାଦ କେବେ ଥମିବ’ ? ଯାହାର ଉତ୍ତରରେ ସେ କହିଥିଲେ, ‘ଆପଣ ଭୁଲ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି, ପାକିସ୍ତାନୀ ମନ୍ତ୍ରୀଙ୍କୁ ପଚାରିଲେ ସେ କହିବେ କେତେ ଦିନ ଦକ୍ଷିଣ ଏସିଆରେ ଆତଙ୍କବାଦ ଜାରି ରହିବ’ । ସବୁଠୁ ବଡ଼ କଥା ସାମ୍ୱାଦିକ ଜଣକ ପାକିସ୍ତାନୀ ଥିଲେ । ଏହିପରି ଭାବେ UNSC ରେ ଆତଙ୍କବାଦକୁ ନେଇ କେତେକ ସାମ୍ୱାଦିକ ଅନେକ ଅଡ଼ୁଆ ପ୍ରଶ୍ନ ପଚାରିଥିଲେ । ଯାହାର ମୁହଁତୋଡ ଜବାବ ଦେଇଥିଲେ ଜୟଶଙ୍କର । ସିଧା ସିଧା ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ କହିବାକୁ ସେ ପଛାଇନଥିଲେ । ସେ ହିପରି ଚୀନ ମଧ୍ୟ ଆତଙ୍କବାଦରେ ପାକିସ୍ତାନକୁ ସହଯୋଗ କରୁଛି । ଆତଙ୍କବାଦର ମୂଳୋତ୍ପାଟନରେ ବୈଶ୍ୱିକ ଏକତା ରହୁଥିବାବେଳେ ଚୀନ ଏଥିରୁ ପଛାଇବା ଏହା ପ୍ରମାଣ କରୁଛି ବୋଲି ଜୟଶଙ୍କର କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.