କଶୃପଡା ମହାବିଦ୍ୟାଳୟର ସ୍ଵାଗତ ଉତ୍ସବ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଶିକ୍ଷା ଏକ ତପସ୍ୟା ଏହାକୁ କଠୋର ସାଧନା ଓ ଏକାଗ୍ରତା ଦ୍ବାରା ହାସଲ କରାଯାଇପାରେ। ଶିକ୍ଷା ସହ ଉତ୍ତମ ଚରିତ୍ରବାନ ହେବାପାଇଁ ସମସ୍ତ ଶିକ୍ଷାର୍ଥୀ ଯତ୍ନବାନ ହେବା ଆବଶ୍ୟକତା ରହିଛି ବୋଲି କଶୃପଡ଼ା ମହାବିଦ୍ୟାଳୟରେ ସ୍ଵାଗତ ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କଶୃପଡା ମହାବିଦ୍ୟାଳୟରେ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥଲେ।
ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ଵାଗତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା ଶତପଥୀ, ମୁଖ୍ୟବକ୍ତା ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଅଧ୍ୟାପିକା ତୃଷ୍ଣା ଦେଓ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ମହାବିଦ୍ୟାଳୟର ଛାତ୍ରୀ ବେବିଲତା ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଦୀପାଞ୍ଜଳୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।