ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମପଞ୍ଚାୟତ ଠାରେ ଆଜି ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି। ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଗ୍ରାମର ଧରଣୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ସେଠାରୁ ମଶାଲ ନେଇ ଗ୍ରାମ ପଞ୍ଚାୟତ ପରିସରରେ ରହିଥିବା ମଞ୍ଚରେ ସ୍ଥାପନା କରିଥିଲେ । ସରପଞ୍ଚ ଶ୍ରୀ ହାତୀଙ୍କ ସମେତ ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ଅମୁଲ୍ୟ ସାହୁ ଓ ଅନ୍ୟ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଓସ୍ତାଦ ବିଶମୀଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଫୋକ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ, ଜଗଦୀଶ ଜାଲ, ନୀଳମଣି ସାହୁ (ପୂର୍ବତନ ବ୍ଲକ ଅଧ୍ୟକ୍ଷ) ଉପସ୍ଥିତ ରହି କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ ।

ବାଗପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ବାଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଶ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଗପୁର ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି, ଏମ ବି କେ ଶ୍ରୀମତୀ ସୀମା ସାହୁ, ସମସ୍ତ ସି ଆର ପି ସମେତ ସମସ୍ତ ଏସ ଏଚ ଜି ମହିଳା ମା ମାନେ ଉପସ୍ଥିତରହି ସମସ୍ତ କଳାକାର ଓ ଚାଷୀ ମାନଙ୍କୁ ଉତ୍ସାହିତ କରି ଥିଲେ । ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀ ଶିକ୍ଷକ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଏଥର ଉଦୀୟମାନ ଚାଷୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ଓ ଗ୍ରାମର ଯୁବ ବର୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ସରପଞ୍ଚ ଶ୍ରୀ ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।