କରୋନା ସଂକ୍ରମଣକୁ ଦେଖି ମାସେ ପାଇଁ ମାସ୍କ ବାଧ୍ୟତାମୂଳକ କଲେ ଏହି ରାଜ୍ୟର ସରକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସମସ୍ତ ଜନସାଧାରଣ ସ୍ଥାନ, କର୍ମକ୍ଷେତ୍ର ଏବଂ ସମାବେଶରେ ମାସ୍କ ପିନ୍ଧିବା ପାଇଁ କେରଳ ସରକାର ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସରକାର ଦୋକାନ, ପ୍ରେକ୍ଷାଳୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ହାତ ଧୋଇବା ଏବଂ ସାନିଟାଇଜର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜାନୁଆରୀ ୧୨, ୨୦୨୩ ଠାରୁ ୩୦ ଦିନ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ଅଞ୍ଚଳରେ ବଳବତ୍ତର ରହିବ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରୁ କରୋନା ସମ୍ପର୍କରେ ଏକ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ସୋମବାର ଏଠାରେ କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡିଛି। ଏଥି ସହିତ ସଂକ୍ରମଣ ହାର ମଧ୍ୟ ଶୂନ ହୋଇଛି। ଦିଲ୍ଲୀରେ କରୋନା ଆରମ୍ଭରୁ ଏହା ପ୍ରଥମ ଥର ପାଇଁ ଘଟିଛି ଯେ ଗୋଟିଏ ବି ମାମଲା ଆସିନାହିଁ ଏବଂ ସଂକ୍ରମଣ ହାର ମଧ୍ୟ ଶୂନ ରେକର୍ଡ କରାଯାଇଛି। ଏଥି ସହିତ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୯୩୧ କରୋନା ପରୀକ୍ଷା କରାଯାଇଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦୈନିକ କରୋନା ସଂକ୍ରମିତ ଆଠ ଜଣ ଚିହ୍ନଟ ହୋଇଛନ୍ତି। ଏହା ସହିତ କୋଭିଡ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୧,୫୫,୨୦୬ ରେ ପହଞ୍ଚିଛି। ଏଥିସହ ଏଠାରେ କୋଭିଡ କାରଣରୁ ୧୯,୭୪୬ ଲୋକ ପ୍ରାଣ ହରାଇଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.