୨୦୨୩ରେ ବିଜେପିର ସେମିଫାଇନାଲ, ଲକ୍ଷ୍ୟ ୨୦୨୪

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ସୂଚନା ଦିଆଯାଇଛି। ନଡ୍ଡାଙ୍କ ୩ ବର୍ଷୀୟା କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେଉଥିଲା। ଗୃହମନ୍ତ୍ରୀ ଅମିତ ଶାହ ସୂଚନାଦେଇ କହିଛନ୍ତି, ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ଯାଏ ବୃଦ୍ଧି ପାଇଛି। ଅମିତ ଶାହ ମୋଦିଙ୍କ ୨ୟ ଟର୍ମରେ ଗୃହମନ୍ତ୍ରୀ ପଦବୀ ନେବା ପରା ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ। ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ନେତୃବୃନ୍ଦ ଏପରି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବିଜେପି ନଡ୍ଡାଙ୍କ  ନେତ୍ୱତ୍ୱରେ ଲଢିବ ବୋଲି ସ୍ଥିର କରିଛି।  ୨୦୨୪ ନିର୍ବାଚନରେ ବିଜେପି ୧୬୦ ଲୋଭସଭା ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି। ହାଟ୍ରିକ ମାରିବା ଲକ୍ଷ୍ୟ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରୁଛି।
ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ  ସଭାପତି ଜେପି ନଡ୍ଡା ସମ୍ବୋଧିତ କରିଛନ୍ତି। ଚଳିତ ବର୍ଷ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ଦଳର ​​ବିଜୟ ହେବା ଆବଶ୍ୟକ ବୋଲି ନଡ୍ଡା କହିଛନ୍ତି। ଏ ନେଇ ଦଳର ନେତା ଓ କର୍ମୀଙ୍କୁ ସହଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗଣମାଧ୍ୟମକୁ ନଡ୍ଡାଙ୍କ ଅଭିଭାଷଣର ସୂଚନା ଦେଇ କହିଛନ୍ତି, ୨୦୨୩ ବର୍ଷ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ନଅ ରାଜ୍ୟରେ ନିର୍ବାଚନ ଲଢିବାକୁ ପଡ଼ିବ। ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଆମକୁ ସମସ୍ତ ନଅଟି ରାଜ୍ୟରେ ଜିତିବାକୁ ହେବ।
ସୂଚନାଯୋଗ୍ୟ ଯେ ୨୦୨୪ ମସିହାରେ କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ନିଶ୍ଚିତ କରିବା ପାଇଁ କେନ୍ଦ୍ରରେ ଶାସକ ଦଳ ଏହାର ସଂଗଠନକୁ ମଜବୁତ କରିବା ପାଇଁ କିଛି ସମୟ ଧରି ଅନେକ ମାନସମନ୍ଥନ କରୁଛି। ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ସମ୍ମିଳନୀ କେନ୍ଦ୍ରରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ଅଧୀନରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଦଳର ସଭାପତି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି, ମୋବାଇଲ ଫୋନର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ, ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବୃହତ୍ତମ ଉତ୍ପାଦକ ହୋଇପାରିଛି। ସେ କହିଛନ୍ତି ଯେ ପୂର୍ବରୁ ଯେଉଁଠାରେ ପ୍ରତିଦିନ ୧୨ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା, ଆଜି ଏହା ୩୭ କିଲୋମିଟରକୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ମାଗଣା ଖାଦ୍ୟ ଶସ୍ୟ ସମେତ ଅନେକ କଲ୍ୟାଣକାରୀ ଯୋଜନା ସହିତ ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ଦେଶ ମଧ୍ୟ କାର୍ଯ୍ୟ କରିଛି।
ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଏବଂ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କର୍ଣ୍ଣାଟକ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଗୋବିନ୍ଦ କରଜୋଲଙ୍କ ପ୍ରସ୍ତାବ ପଢିଥିଲେ। ସେ କହିଛନ୍ତି ଯେ ରାଜନୀତିକ  ପ୍ରସ୍ତାବରେ ନଅଟି ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ଯେଉଁଥିରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପେଗାସସ୍, ରାଫାଲେ, ଇଡି, ସେଣ୍ଟ୍ରାଲ ଭିଷ୍ଟା, ସଂରକ୍ଷଣ ଏବଂ ବିମୁଦ୍ରୀକରଣ ହେଉଛି ବିରୋଧୀଦଳର ଏକଦା ପ୍ରସଙ୍ଗ ଥିଲା। ବିନା କୌଣସି ପ୍ରମାଣରେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ଦୋଷାରୋପ କରିଥିଲେ। କିନ୍ତୁ ସେମାନଙ୍କୁ କୋର୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।
ନିକଟରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଦଳର ବିଜୟକୁ ‘ଅସାଧାରଣ ତଥା ଐତିହାସିକ’ ବୋଲି ନଡ୍ଡା ପ୍ରଶଂସା କରି କହିଛନ୍ତି। ୧୮୨ ବିଧାନସଭା ଆସନରୁ ୧୫୦ରୁ ଅଧିକ ଆସନରେ ଦଳ ଜିତିବା ଏକ ବଡ଼ ସଫଳତା। ସେ କହିଛନ୍ତି ହିମାଚଳ ପ୍ରଦେଶରେ ଦଳ କଂଗ୍ରେସଠୁ ହାରିଛି, କିନ୍ତୁ ଦୁଇ ଦଳ ମଧ୍ୟରେ ଭୋଟର ପାର୍ଥକ୍ୟ ଏକ ପ୍ରତିଶତରୁ କମ୍ ଥିଲା ବୋଲି କହିଛନ୍ତି। ତେବେ ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଜେପି ରୋଡମ୍ୟାପ ଆରମ୍ଭ କରିଛି। ଏ ନେଇ ନୂଆଦିଲ୍ଲୀରେ ଚାଲିଥିବା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍‌ପତ୍ତି ନିଆଯାଇଥିବା ଜଣାଯାଇଛି। ବିଶେଷକରି ଏସସି, ଏସଟି, ଓବିସି ଭୋଟ ହାତେଇବା ଲକ୍ଷ୍ୟ ରଖିଛି ଦଳ। ସେଥିପାଇଁ ଏହି ବର୍ଗର ପ୍ରାର୍ଥୀଙ୍କୁ  ଟିକେଟ ଦେବା ଉପରେ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.