ଅନ୍ଧାରରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି

ବିନା ବିଦ୍ୟୁତ୍ ମିଟରରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଲାଗିଥିଲା ବିଦ୍ୟୁତ୍ ସଂଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ସହରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ଟାଟା ପାୱାର ବିଦ୍ୟୁତ୍ ବିଭାଗ (ଟିପିଏସଓଡିଏଲ) ପକ୍ଷରୁ ବିଦ୍ୟୁତ୍ ସଂଯୋଗ ଦୀର୍ଘ ଘଂଟା ଧରି ବିଚ୍ଛିନ୍ନ କରାଯାଇଥିବାରୁ ଅନ୍ଧାରରେ ରହିଥିଲେ ଚତୁର୍ଦ୍ଧାମୂର୍ତି । କିନ୍ତୁ ପରେ ବିଭାଗ ପକ୍ଷରୁ ପୁଣି ଥରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଯାହାକି ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏ ନେଇ ରାୟଗଡା ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ମନ୍ଦିରରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବା ନେଇ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ୨ଟି ବିଦ୍ୟୁତ୍ ସଂଯୋଗ ରହିଥିଲା । ତେବେ ଗୋଟିଏ ସଂଯୋଗରେ ଥିବା ବିଦ୍ୟୁତ୍ ମିଟରଟିକୁ ବିଭାଗୀୟ କର୍ତୁପକ୍ଷ ଯାଂଚ ସମୟରେ ପାଇ ନ ଥିବା ବେଳେ ଅନ୍ୟଟି ବହୁତ ପୁରୁଣା ହୋଇ ନଷ୍ଟ ଅବସ୍ଥାରେ ରହିଥିଲା । ଯାହାକୁ ନେଇ ଦୁଇଟିଯାକ ବିଦ୍ୟୁତ୍ ସଂଯୋଗ ପଂଏଟରେ ନୂଆ ମିଟର ବସାଯାଇଥିବାରୁ କିଛି ଘଂଟା ପାଇଁ ବିଦ୍ୟୁତ୍ ବିଚ୍ଛନ୍ନ କରାଯାଇଥିଲା ବୋଲି କହିଛନ୍ତି । ତେବେ ବକେୟା ବିଲ୍ ପୈଠ ନ କରିଥିବାରୁ ବିଦ୍ୟୁତ୍ ସଂଯୋଗ କଟା ଯାଇଥିବା ନେଇ ପଚାରିବାରୁ ଏପରି କିଛି ନୁହେଁ । ମନ୍ଦିରର ସମସ୍ତ ବିଦ୍ୟୁତ୍ ବିଲ୍ ରାୟଗଡା ଏଣ୍ଡୋମେଂଟ ବିଭାଗ ପକ୍ଷରୁ ପୈଠ କରାଯାଉଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଆଜି ବଡ ଏକାଦଶୀ ଥିବାରୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.