ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଟ୍ରାକ୍ଟର ସହ ଡାଲା, ୫ ଶ୍ରମିକ ଆହାତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଏକ ତସୁ ବୋଝେଇ ଟ୍ରାକ୍ଟର ସହ ଡାଲା । ଫଳରେ ଡାଲାଗାଡିରେ ବସିଥିବା ୫ଜଣ ଶ୍ରମିକ ଆହାତ ହୋଇଥିଲେ । ସମସ୍ତ ଆହାତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଳା ବାଇସିଂ ଗ୍ରାମ ପଂଚାୟତର ଧୂମାଗୁଡା ଗ୍ରାମ ନିକଟରେ । ଆଜି ସକାଳେ ଚେକାଗୁଡା ଓ ମାରିଗୁଡା ଗ୍ରାମର ମହିଳା ଓ ପୁରୁଷ ଶ୍ରମିକମାନେ ଏକ ତସୁ ବୋଝେଇ ଟ୍ରାକ୍ଟରର ଡାଲାରେ ବସି ଧୂମାଗୁଡା ଗ୍ରାମ ଦେଇ ଅଡପତିଗୁଡା ଅଭିମୁଖେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିଲେ ।

ଫଳରେ ରାସ୍ତା ଏକ କଡକୁ ଟ୍ରାକ୍ଟର ଇଂଜିନ ଏବଂ ଅନ୍ୟ କଡରେ ଡାଲାଟି ଓଲଟି ପଡିଥିଲା । ଟ୍ରାକ୍ଟର ଡ୍ରାଇଭର ନିଜକୁ ସୁରକ୍ଷିତ ଭାବେ ବଂଚେଇ ପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଡାଲା ଗାଡିରେ ବସିଥିବା ଚେକାଗୁଡାର ବୁଗୁଲି ତାଡିଙ୍ଗି, ମାରିଗୁଡାର ଡବଲି ମାଣ୍ଡାଙ୍ଗି ଓ ଜାମି ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ୨ଜଣ ଶ୍ରମିକ ଡାଲା ସହ ରାସ୍ତା କଡ ଜମିରେ ପଡିଯାଇଥିଲେ । ତେବେ ଡାଲାରେ ତସୁ ଭରି ହୋଇଥିବାରୁ ଶ୍ରମିକମାନେ ଅଳ୍ପକେ ବର୍ତି ଯାଇଥିବା ବେଳେ ଧୂମାଗୁଡା ଗ୍ରାମବାସୀ ଆହାତଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.