ବିବାହ କାର୍ଯ୍ୟରେ ଯୋଗଦେବା ହେଲା କାଳ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଫାଣ୍ଡି ଅଧିନସ୍ତ ଜଲତାମୁଣ୍ଡା ଗ୍ରାମରେ ଅଘଟଣ। ବିବାହ କାର୍ଯ୍ୟରେ ଯୋଗଦେଇଥିବା ଜଣେ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଛନ୍ତି। ମୃତ ଯୁବକ ଜଣକ କାଶିବାହଲ ପଞ୍ଚାୟତ ସାରଙ୍ଗପଡା ଗ୍ରାମର ଇନ୍ଦ୍ର ରାଉତ(୪୫)। ପୁଲିସ୍ ସୂଚନା ଅନୁସାରେ, ଇନ୍ଦ୍ର ଦୀର୍ଘ ବର୍ଷ ହେବ ଜୟପାଟଣାରେ ରହୁଥିବାବେଳେ ବୁଧବାର ଏକ ବିବାହରେ ଯୋଗଦେବାକୁ ଜଳତାମୁଣ୍ଡା ଗ୍ରାମକୁ ଆସିଥିଲେ। ତେବେ ଟେଣ୍ଟରେ ଲଗାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.