ଟାଇଟଲ ଜିତିବା ପରେ ରୁଷ ଖେଳାଳିଙ୍କ ସହ ହାତ ମିଳାଇଲେ ନାହିଁ ୟୁକ୍ରେନର ମାର୍ତା

ଓଡ଼ିଆ ବାର୍ତ୍ତା/ କୀଭ: ଟେକ୍ସାସରେ ଅନୁଷ୍ଠିତ ଡବ୍ଲ୍ୟୁଟିଏ ଫାଇନାଲରେ ରୁଷିଆର ଗ୍ରେଚୱାଙ୍କୁ ପରାସ୍ତ କରି ୟୁକ୍ରେନର ମାର୍ତା କୋତ୍ସ୍ୟୁକ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ୬-୩, ୭-୫ ସେଟରେ ସହଜରେ ବିଜୟ ହାସଲ କରିଥିଲେ । ତେବେ ଟାଇଟଲ ଜିତିବା ପରେ ମାର୍ତା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ । ଗ୍ରେଚୱା ଦୁଇ ଥର ହାତ ବଢେଇଥିଲେ ମଧ୍ୟ ମାର୍ତା ଏହାକୁ ଅଣଦେଖା କରିଥିଲେ । ଯାହାକି ଚର୍ଚ୍ଚାର କାରଣ ସାଜିଛି । ଏହି ଚାମ୍ପିୟନଶିପରେ ରୁଷ ଏବଂ ବେଲାରୁଷର ଖେଳାଳିଙ୍କ ଖେଳିବା ନେଇ ପୂର୍ବରୁ ବିରୋଧ କରାଯାଉଥିଲା । ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

ମାର୍ତା ବିଜୟ ହାସଲ କରିବା ପରେ ଦେଶ ପାଇଁ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ ସେନା ଓ ପ୍ରାଣ ହରାଇଥିବା ନାଗରିକଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିଥିଲେ । ଗତ ବର୍ଷ ଫେବୃୟାରୀ ୨୪ରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଯୁଦ୍ଧରେ ହଜାର ହଜାର ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ସହର ନଷ୍ଟ ହୋଇଯାଇଛି । ଏଥିଯୋଗୁ ଅନେକ ନାଗରିକ ଦେଶ ଛାଡି ପଳାୟନ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.