ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ। ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ସୂଚନା ପାଇଥିଲା। ସିଟି ସ୍କୁଲ୍ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ପୋଲିସକୁ ଚକମା ଦେଇ କୌଶଳକ୍ରମେ ଦୁଇଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଭ୍ୟାନ ନଂ. ଓଡି-୩୩-ଏବି-୯୯୦୬ ରୁ ୧୪୧ କେଜି ୩୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି। ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୭୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି ଏବଂ ଏବଂ ଏହାର ମୂଳ ଉତ୍ପାଟନ କରିବା ପାଇଁ ଆମେ ଆମର ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି।