ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ର କିମ୍ବଦନ୍ତୀ ପର୍ଯ୍ୟଟନ ସ୍ଥଳି ଐତିହାସିକ ଅସୁରଗଡ ପୀଠ । ୧୯୬୭ ରୁ ଚାଲି ଆସୁଥିବା ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡରେ ଏହି ରାମ ନବମୀ ଚଳିତ ବର୍ଷ ମଧ୍ୟ ଅସୁରଗଡ ଶ୍ରୀରାମ ନବମୀ କମିଟି ପାଳନ କରୁଛି ୫୬ତମ ଶ୍ରୀରାମ ନବମୀ । ଏହି ପର୍ବ ପାଳନରେ ଲାଗି ପଡିଛନ୍ତି ସାରା ଅସୁରଗଡ ବାସୀ । ଏଥରକ ସ୍ୱତନ୍ତ୍ର ଧରଣ ଭାବରେ ପାଳିତ ହେଉଛି ଶ୍ରୀରାମ ନବମୀ । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ଐତିହାସିକ ଅସୁରଗଡ ଗ୍ରାମ।
ଚଳିତ ବର୍ଷ ସ୍ୱତନ୍ତ୍ର ଓ ନିଆରା ଢଙ୍ଗରେ ସାରା ଗ୍ରାମ ଏବଂ ଗଡଟିକୁ ସୁସଜ୍ଜିତ କରିଛନ୍ତି ଶ୍ରୀରାମ ନବମୀ ଆୟୋଜକ କମିଟି । ତା.୨୯/୩ ବୁଧବାର ଦିନ ଅପରାହ୍ନ ୩.୩୦ ରେ ଉଦୟ ସାଗରରୁ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବାକୁ ଥିବା ବେଳେ ଗୁରୁବାର ଠାରୁୁ ରାମାୟଣର ଆଦ୍ୟକାଣ୍ଡ ପର୍ବ ଆରମ୍ଭ ହୋଇଛି । ପ୍ରତ୍ୟହ ସକାଳୁ ଶ୍ରୀରାମ ପୂଜନ, ରାମାୟଣ, ପାରାୟଣ, ଭଜନ, କୀର୍ତ୍ତନ ଓ ପ୍ରବଚନ ଭଳି ନଅ ଦିନ ବ୍ୟାପି ଭବ୍ୟ କାର୍ଯ୍ୟକ୍ରମର ପ୍ରତ୍ୟହ ଚାଲିଥିବା ଶ୍ରୀରାମ ନବମୀ କମିଟିର ସଭାପତି ରାଧାକାନ୍ତ ରଣା ସୂଚନା ପ୍ରଦାନ କରିଛନ୍ତି । ପରିଚାଳନା କମିଟିର ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମ୍ପାଦକ କୌଶିକ ପୁଟେଲ ରହିଥିବା ବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଯୁବ ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତ୍ୟହ ରାତିରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମର ଯୁବକ ମାନେ ବିଭିନ୍ନ ଭୁମିକା ନିର୍ବାହନ କରୁଛନ୍ତି । କର୍ତ୍ତା ଭାବରେ କଲ୍ୟାଣୀ ଗଡତିଆ ଓ ଥବିର ପଧାନ ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି । ଅସୁରଗଡ ଗ୍ରାମର ପଣ୍ଡିତ ପୂଜକ ଶେଷଦେବ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେ ଦୀର୍ଘ ୩୦ ବର୍ଷ ଧରି ଅସୁରଗଡ ରାମ ମନ୍ଦିରର ପୂଜକ ଭାବରେ ଦାଇତ୍ୱ ନିର୍ବାହନ କରି ଆସୁଛନ୍ତି । ଆଜି ପବିତ୍ର ରାମ ନବମୀ । ସକାଳୁ ମଙ୍ଗଳ ଆଳତୀ, ବାଳଭୋଗ ଓ ଅନ୍ୟାନ୍ୟ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ନିତ୍ୟ ରାମାୟଣ ଶୁଣୁଥିବା ଓ ନିଷ୍ଠାରେ ବ୍ରତ ପାଳନ କରି ରହୁଥିବା ଜଣାପଡିଛି ।
ଅସୁରଗଡ ରାମ ମନ୍ଦିର ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ପର୍ଶୁରାମ ପଧାନ ଓ ତାଙ୍କ ସୁପୁତ୍ର ଘନଶ୍ୟାମ ପଧାନ ଭୂମିଦାନ କରିଥିଲେ । ଗ୍ରାମବାସୀ ଓ ଖୁସିରାମ ସାହୁଙ୍କ ପ୍ରଚେଷ୍ଟାରେ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ଅଦ୍ୟାବଧି କାମ ଚାଲିଛି । ସମ୍ପୁର୍ଣ୍ଣ ହୋଇନି ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା ୨୦୨୪ ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମୟରେ ଏହା ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ପୁରୁଣା ଶ୍ରୀରାମ ମନ୍ଦିରରେ ଏବେ ପ୍ରତ୍ୟହ ଚାଲୁଛି ପୂଜାର୍ଚ୍ଚନା । ବର୍ଷସାରା ପ୍ରତି ଶନିବାର ସଂଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଆଜି ଗୁରୁବାଊ ରାମନବମୀର ପ୍ରଥମ ଓ ଆରମ୍ଭ ଦିବସ । ଅପ୍ରେଲ ୮ ରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ସେହିଭଳି ନର୍ଲା ବ୍ଲକ୍ ଅଞ୍ଚଳର ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ଗ୍ରାମରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ମଧ୍ୟ ଚଳିତ ବର୍ଷ ମହା ଆଡମ୍ବର ସହକାରେ ପାଳିତ ହେଉଛି । ଅନ୍ୟ ସ୍ଥାନ ଗୁଡିକ ମଧ୍ୟରେ ନର୍ଲାର ଡାକ୍ତରଖାନା ପରିସରରେ ରହିଥିବା ରାମ ମନ୍ଦିର ରେ ମଧ୍ୟ ନର୍ଲାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ସ୍ରୀରାମ ନବମୀ ଉତ୍ସବ ଚାଲିଆସୁଛି । ସେହିଭଳି ନର୍ଲାର ଅନ୍ୟସ୍ଥାନ ଗୁଡିକ ମଧ୍ୟରେ ରୁପ୍ରା, ତିତକେଲା, ବାଗପୁର, ତୁଳାପଡା ପ୍ରଭୃତି ସ୍ଥାନ ଗୁଡିକରେ ମଧ୍ୟ ଆଡମ୍ବର ସହକାରେ ପାଳିତ ହେଉଛି ଶ୍ରୀରାମ ନବମୀ ।