ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନ୍‌ଙ୍କ ‘କ୍ରମ ବିବର୍ତ୍ତନ ବାଦ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ପାଠ୍ୟ ପୁସ୍ତକରେ ଅନେକ ବିବାଦୀୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଗାନ୍ଧୀଙ୍କ କଥା, ପରେ ମୌଲାନା ଆଜାଦଙ୍କ କଥା ..ଏହିଭଳି ଅନେକ ଇତିହାସକୁ ପାଠ୍ୟ ବିଷୟରୁ ହଟାଇ ଦିଆଯିବାରୁ ଏହାକୁ ନେଇ ବିରୋଧ ହୋଇଛି। ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀ ବା କ୍ରମ ବିବର୍ତ୍ତନ ବାଦକୁ ଏନ୍‌ସିଇଆର୍‌ଟି ପୁସ୍ତକରୁ ହଟାଇ ଦିଆଯାଇଛି। ଯାହାକୁ ନେଇ ଭାରତର ବୈଜ୍ଞାନିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏନ୍‌ସିଇଆର୍‌ଟିକୁ ଚିଠି ଲେଖିଛନ୍ତି। ସାରା ଭାରତରୁ ୧୮୦୦ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ ଓ ବିଜ୍ଞାନ ଉତ୍ସାହୀ ବ୍ୟକ୍ତି ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ବହିରୁ ଡାରୱିନ୍‌ଙ୍କ ବିକାଶ ସିଦ୍ଧାନ୍ତକୁ ହଟାଇ ଦେବାକୁ ନିନ୍ଦା କରି ଏନ୍‌ସିଇଆର୍‌ଟିକୁ ଲେଖାଯାଇଥିବା ଏକ ଚିଠିରେ ଦସ୍ତଖତ କରିଛନ୍ତି। ବ୍ରେକ୍‌ଥ୍ରୁ ସାଇନ୍ସ ସୋସାଇଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ‘କୋର୍ସ ରୁ ଥିଓରି ଅଫ୍ ଇଭୋଲ୍ୟୁଏସନ ହଟାଇବା ବିରୋଧରେ ଏକ ଆବେଦନ’ ଶୀର୍ଷକ ଏକ ଚିଠି ରହିଛି। ଏଥିରେ ଭାରତୀୟ ବିଜ୍ଞାନ ସଂସ୍ଥାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଓ ଭାରତୀୟ ପ୍ରୁଯୁକ୍ତିବିଦ୍ୟା ସଂସ୍ଥାନ ଭଳି ବଡ଼ ବଡ଼ ବୈଜ୍ଞାନିକ ସଂସ୍ଥା ପ୍ରତିନିଧିମାନଙ୍କ ଦ୍ୱାରା ଦସ୍ତଖତ କରାଯାଇଛି। ଡାରୁୱିନଙ୍କ ତତ୍ତ୍ୱକୁ ପାଠ୍ୟପୁସ୍ତକରୁ ହଟାଇବା ଶିକ୍ଷା ପ୍ରତି ଏକ ଉପହାସ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଡାରୱିନଙ୍କ ଥିଓରୀ ପିଲାମାନଙ୍କ ପାଇଁ ନିହାତି ଆବଶ୍ୟକ। ଏଥିରେ ପିଲାମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାର ସୃଷ୍ଟି କରିଥାଏ। ଡାରୱିନ୍‌ଙ୍କ ତତ୍ୱରୁ ହିଁ ଜୀବ ବିଜ୍ଞାନରେ ବିଭିନ୍ନ ତର୍କ ମିଳିଛି। ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହଟାଇବା ପିଲାମାନଙ୍କର ହିତରେ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.