ମ.ରାମପୁରରେ ନୂତନ ଦେୱାନି ଜଜ୍ ତଥା ଜେଏମଏଫସିର ଶୁଭ ଉଦ୍ଘାଟନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ନବ ନିର୍ମିତ ଦେୱାନି ଜଜ୍ ତଥା ଜେଏମଏଫସିର ନୂତନ କୋଠା ଶୁଭ ଉଦ୍ଘାଟନ ମାନ୍ୟବର ମୁଖ୍ୟ ବିଚାରପତି ଓଡ଼ିଶା ହାଇ କୋର୍ଟ ଡ଼କ୍ଟର ଜଷ୍ଟିସ ଏସ ମୁରଲୀ ଧରଙ୍କ କର କମଳରେ ହେଇ ଯାଇଛି । ପ୍ରାରମ୍ଭରେ ଅତିଥି ମାନଙ୍କୁ କଳାହାଣ୍ଡିର ଲୋକ ନୃତ୍ୟ ଘୁମୁରା, ଆଦିବାସୀ ନୃତ୍ୟ, ଢାପ, ସିଂ ବାଜାର ତାଳେ ତାଳେ ପାଛୋଟି ନେବା ପରେ ମୁଖ୍ୟ ଅତିଥି କୋର୍ଟ କୋଠା ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ କୋର୍ଟ ପରିଦର୍ଶନ କରିବା ପରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା । ପ୍ରାରମ୍ଭରେ ଓକିଲ ସଂଘର ସଦସ୍ୟ ମାନେ ମଞ୍ଚାଷିନ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ । ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀର ମୁଜିକ୍ ଆଇନଜୀବୀ ରାଜେନ୍ଦ୍ର ଛତର ପରିବେଷଣ କରିଥିଲେ । ଜିଲ୍ଲା କୋର୍ଟର ବିଚାରପତି ଦୀପ୍ତି ରଞ୍ଜନ କାନୁନ୍ ଗୋ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼କ୍ଟର ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ (ବିଚାର ପତି ଓଡ଼ିଶା ହାଇ କୋର୍ଟ ତଥା ବିଲଡିଂ କମିଟି ଅଧ୍ୟକ୍ଷ) ଯୋଗ ଦେଇ ମ.ରାମପୁର ବାରର କାର୍ଯ୍ୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ମୂରଲୀଧର ସମାଜର ଶେଷ ମଣିଷ ପାଇଁ ନ୍ୟାୟିକ ବ୍ୟବସ୍ଥା ଯୋଗାଇ ଦେବରେ ଓକିଲ ମାନଙ୍କ ଭୂମିକା ଅନନ୍ୟ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ପ୍ରତାପ କୁମାର ପାତ୍ର, ରେଜିଷ୍ଟର ( ଭିଜିଲାନ୍ସ) ଅଖିଳ କୁମାର ପଶ୍ଚିମ କବାଟ, କଳାହାଣ୍ଡି ଜିଲ୍ଲା ପାଳ ପି. ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ନର୍ଲା ବିଧାୟକ ଭୂପିନ୍ଦର ସିଂ ମ.ରାମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରତ୍ୟାଶା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମ ରାମପୁର ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଗଙ୍ଗାଧର ମହାନ୍ତି, ବିଶ୍ବମ୍ବର ମହାନ୍ତି, ବିମଳ କୁମାର ଚାନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଓକିଲ ସଂଘ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପ୍ରୀତି ଉପହାର ସ୍ବରୂପ କଳାହାଣ୍ଡି ଜିଲ୍ଲା ଖଇରମାଳର ପ୍ରସିଦ୍ଧ କାଷ୍ଠ ନିର୍ମିତ ଗଜାନନ ମୂର୍ତ୍ତି ପ୍ରଦାନ କରାଯାଇଥିଲା । ଆଇନଜୀବି ସପନ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଓକିଲ ସଂଘ ସଂପାଦକ ଯତୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ କୋର୍ଟ କର୍ମଚାରୀ ସହଯୋଗ କରିଥିଲେ । ଏହି କୋର୍ଟ କୋଠା ଉଦ୍ଘାଟନ ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।