ମନ କୀ ବାତ୍ ର ୧୦୦ତମ ଅଧ୍ୟାୟ; ଲମସିଂହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ଉତ୍ସାହର ସହ ଶୁଣିଲେ ଶ୍ରୋତା ମଣ୍ଡଳୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩୦ ଏପ୍ରିଲ ୨୦୨୩ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତ ବିନିମୟ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ମଣ୍ଡଳ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ଲମସିଂହା ଗାଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଥିଲା । ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ତଥା ରୁପ୍ରା ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ରାଜୀବ ଲୋଚନ ପୋଢ, ଘୋଡାବନ୍ଧ ଶକ୍ତି କେନ୍ଦ୍ର ପ୍ରମୁଖ ମଧୁ କୁମାର, ପ୍ରହଲ୍ଲାଦ ଛତ୍ରିଆଙ୍କ ସମେତ ବିଭିନ୍ନ ବର୍ଗର ଜନତା ଏଥିରେ ସାମିଲ ଥିଲେ । ସମସ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି ନିଆରା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଅକ୍ଟୋବର ୨୦୧୪ ପରଠାରୁ ଏବେ ସୁଦ୍ଧା ମନ୍‌ କୀ ବାତ୍‌ର ୧୦୦ଟି ଅଧ୍ୟାୟ ପ୍ରସାରିତ ହୋଇସାରିଛି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ଭାବ ବିନିମୟ ଲାଗି ଦେଶର ସାଧାରଣ ନାଗରିକଙ୍କ ପାଇଁ ଏକ ମଞ୍ଚ ପାଲଟିଛି । ଆଇଆଇଏମ ରୋହତକ ଏବଂ ପ୍ରସାର ଭାରତୀ ପକ୍ଷରୁ ମନ କୀ ବାତକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣର ଫଳାଫଳରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମକୁ ୧୦୦ କୋଟି ଶ୍ରୋତା କୌଣସି ନା କୌଣସି ପ୍ରକାରରେ ଶୁଣିଛନ୍ତି । ସେହିପରି ମନ କୀ ବାତର ୨୩ କୋଟି ନିୟମିତ ଶ୍ରୋତା ରହିଛନ୍ତି । ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ମଧ୍ୟ ଅନୁପ୍ରାଣିତ କରୁଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୬୦% ଲୋକ ରାଷ୍ଟ୍ର ଗଠନରେ ଆଗ୍ରହୀ ହୋଇଛନ୍ତି ଏବଂ ୭୩% ଲୋକ ଭାବୁଛନ୍ତି ଯେ ଦେଶ ବର୍ତ୍ତମାନ ଠିକଣା ପଥରେ ପ୍ରଗତି ହାସଲ କରୁଛି । ଅନୁଧ୍ୟାନର ଆଉ ଏକ ମଜାଦାର ତଥ୍ୟ ହେଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ୧୨% ଲୋକ ରେଡିଓ, ୧୫% ଟେଲିଭିଜନ ଓ ୩୭% ଇଣ୍ଟରନେଟ୍ ଭିତ୍ତିକ ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି । ଅନ୍ୟପକ୍ଷରେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ କରାଯାଇଥିବା ଏକ ସ୍ୱତନ୍ତ୍ର ଅଧ୍ୟୟନରୁ ଜଣାପଡ଼ିଛି ଯେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ ମନ କୀ ବାତ୍‌କୁ ଏକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥାନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.