ବ୍ୟାଡମିଂଟନ ଏସିଆନ ଚାମ୍ପିୟନଶିପରେ ଭାରତକୁ ମିଳିଲା ଐତିହାସିକ ସ୍ୱର୍ଣ୍ଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୫୮ ବର୍ଷ ପରେ ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ଡବଲ୍ସରେ ଭାରତର ପ୍ରତିଭାବାନ ଯୋଡି ସାତ୍ୱିକ ସାଇରାଜ ରଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୬୫ରେ ଦୀନେଶ ଖାନ୍ନା ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସାତ୍ୱିକ-ଚିରାଗ ଯୋଡିଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥୀକ ପୁରସ୍କାର ରାଶି ଘୋଷଣା କରିଛି । ଫାଇନାଲରେ ସେମାନେ ମାଲେସିଆର ୱଙ୍ଗ ୟେୱ ସିନ ଓ ଟେଓ ଇୟିଙ୍କୁ ୧୬-୨୧, ୨୧-୧୭ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ଭାରତୀୟ ଯୋଡି ହାରିବା ସତ୍ୱେ ଜବରଦସ୍ତ ପ୍ରଦର୍ଶନ କରି ବାକି ୨ଟି ସେଟ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ୧ ଘଂଟା ୭ ମିନିଟ ଧରି ଚାଲିଥିଲା । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଯୋଡି ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେମାନେ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ବ୍ୟତୀତ ଥୋମାସ କପ ବିଜୟୀ ଦଳର ସଦସ୍ୟ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.