୫-ଟି ସଚିବଙ୍କ ଗସ୍ତର ଏପାଖ ସେପାଖ

ପ୍ରଶାସନ ଅପେକ୍ଷା ନେତାଙ୍କ ଅଧିକ ମୁଣ୍ଡବ୍ୟଥା…

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ୫-ଟି ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି ଉତ୍କେଲା ବିମାନ ବନ୍ଦରରେ ଅବତରଣ କରି ସେଠାରୁ ସିଧାସଳଖ ପ୍ରସିଦ୍ଧ ଶୈବପୀଠ ବେଲଖଣ୍ଡିକୁ ଆସିଥିଲେ । ତେବେ ତାଙ୍କ ଆସିବା ପୂର୍ବରୁ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଆସି କାର୍ଯ୍ୟକ୍ରମର ସଫଳତା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଯାଇଥିଲେ । ତାଙ୍କ ପରେ ବିଜେଡି ସାଂଗଠନିକ ସଂପାଦକ ବବି ଦାସ ଓ ଜୁନାଗଡ ବିଧାୟକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଯାଇଥିଲେ । ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସମୟରେ ବିଧାୟକ ମାନଙ୍କୁ ଉପସ୍ଥିତି ପାଇଁ ମନା କରାଯାଇଥିବାରୁ ସେମାନେ ଚାଲିଯାଇଥିବା ଆଲୋଚନା ହୋଇଥିଲା । କେବଳ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ଗତ ତିନି ଦିନ ଧରି ଏକାଧିକ ବିଜେଡି ବିଧାୟକ ଏଠାରେ ଡେରା ପକାଇଥିବାରୁ ଲୋକେ ସଚିବଙ୍କ ଗସ୍ତରେ ପ୍ରଶାସନ ଅପେକ୍ଷା ବିଧାୟକ ମାନଙ୍କ ମୁଣ୍ଡବ୍ୟଥା ଅଧିକ ରହୁଛି ବୋଲି କୁହାକୁହି ହେଉଥିଲେ ।

ବେଲଖଣ୍ଡି ଶୈବପୀଠର ବିକାଶ ନେଇ ଚିନ୍ତା….

ବେଲଖଣ୍ଡି ଶୈବପୀଠ ଉତେଇ ଓ ତେଲ ନଦୀର ସଂଗମ ସ୍ଥଳରେ ଅବସ୍ଥିତ । ଷଷ୍ଠ-ସପ୍ତମ ଶତାବ୍ଦୀର ଏହି ଐତିହାସିକ ଶୈବପୀଠର ଯେତିକି ବିକାଶ ହେବାକଥା ତାର କାଣିଚାଏ ଟିଏ ମଧ୍ୟ ହୋଇନାହିଁ । ଏନେଇ ଅଂଚଳର ଲୋକେ ଦୀର୍ଘ ବର୍ଷ ଧରି ସରକାରଙ୍କ ଠାରେ ଦାବୀ କରିଆସୁଥିଲେ ମଧ୍ୟ କେହି ଶଣୁ ନଥିଲେ । ତେବେ ଆଜି ଓଡିଶା ସରକାରଙ୍କର ପ୍ରଭାବଶାଳୀ ସଚିବ ପାଣ୍ଡିଆନ ଆସିବା ପରେ ଏହାର ବହୁବିଧ ବିକାଶର ସ୍ୱପ୍ନ ଦେଖିଲେଣି ଲୋକେ । ନଦୀର ଉଭୟ ପାଶ୍ୱର୍ରେ ଥିବା ଦୁଇ ଶିବ ମନ୍ଦିରକୁ (ବେଲଖଣ୍ଡି ଓ ପୁଟିଗାଁ) ରୁପୱେରେ ସଂଯୋଗ କରିବା ସହ ଏକ ପାର୍କ, ଆଡିବନ୍ଧ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହେଉଥିଲା ।

ଆପଣ ମାନେ କେନ୍ତା ଅଛନ୍‌…..

ଶ୍ରୀଯୁକ୍ତ ପାଣ୍ଡିଆନ ଉପସ୍ଥିତ ଜନସଭାକୁ ସମ୍ବୋଧିତ କଲାବେଳେ ଜୟ ମାଁ ମାଣିକେଶ୍ୱରୀ… ଆପଣ ମାନଙ୍କେ ସମସ୍ତଙ୍କେ ଜୁହାର ବୋଲି କହିଥିଲେ । ତାପରେ କଳାହାଣ୍ଡିଆ ଭାଷାରେ “ଆପଣ ମାନେ କେନ୍ତା ଅଛନ୍ ?” ବୋଲି କହିବାରୁ ଉପସ୍ଥିତ ଲୋକେ କରତାଳି ଏବଂ ହୁଳହୁଳି ଦେଇ ଖୁସି ବ୍ୟକ୍ତ କରିଥିଲେ । ତାପରେ ପାଣ୍ଡିଆନ କହିଥିଲେ ୨୦ ବର୍ଷରୁ ଆଗରୁ କଳାହାଣ୍ଡିରେ ଥିଲି, କଳାହାଣ୍ଡିଆ ଭାଷା ଟିକେ ଭୁଲି ଯାଇଛି ହେଲେ କଳାହାଣ୍ଡିକୁ ଭୁଲି ନାହିଁ । ତାପରେ ଭାଷଣ ଶେଷରେ ଜୟ ଜଗନ୍ନାଥ କହି ଭାଷଣ ଶେଷ କଲାବେଳକୁ ଉପସ୍ଥିତ କିଛି ଯୁବକ ଆପଣ ଖୁସି ତ ବୋଲି କହିବାକୁ ଅନୁରୋଧ କରିବାରୁ ସେ ମୁଁ ନୁହେଁ ଏହା ସାର୍ କହିବେ ବୋଲି କହିଥିଲେ । ତେବେ ପାଣ୍ଡିଆନଙ୍କୁ ପ୍ରଥମ ଥର ପାଇଁ ସାମନାସାମନି ଦେଖି ଲୋକେ ବହୁତ ଖୁସି ହେଉଥିବା ଲକ୍ଷ୍ୟ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ ଠାରୁ ଏହି ପ୍ରୋଗ୍ରାମ କୌଣସି ଗୁଣରେ କମନଥିଲା ବୋଲି ଚର୍ଚ୍ଚା ହେଉଥିଲା ।

ଦାବୀପତ୍ର ସବୁ ଅଳିଆ ଗଦାକୁ ଯିବନି ତ ?….

ଅଂଚଳର ପ୍ରମୁଖ ସାମୁହିକ ସମସ୍ୟା ଗୁଡିକୁ ନେଇ ପାଣ୍ଡିଆନଙ୍କୁ ଦାବୀପତ୍ର ଦେବା ପାଇଁ ବହୁ ପୂର୍ବରୁ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଥିଲା । ଏ ଦାବୀପତ୍ର ଗୁଡିକ ସଂପର୍କରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ବିଧାୟକ ମଧ୍ୟ ଅବଗତି ଥାଇ ତାଲିକା ପ୍ରସ୍ତୁତ ହୋଇଥିଲା । ତଦ୍ ଅନୁଯାୟୀ ଆଜି ସଭା ମଂଚ ସମ୍ମୁଖରେ ଗୋଟିଏ ପାଶ୍ୱର୍ରେ କର୍ଲାମୁଣ୍ଡା ଆଉ ଗୋଟିଏ ପାଶ୍ୱର୍ରେ କେସିଙ୍ଗା ବ୍ଲକର ଦାବୀ ଉପସ୍ଥାପନା କରିବା ବ୍ୟକ୍ତି ମାନଙ୍କୁ ବସାଯାଇଥିଲା । ଆଶା ଥିଲା ପାଣ୍ଡିଆନ ସମସ୍ତଙ୍କ ଠାରୁ ନିଜେ ଅଭିଯୋଗ ପତ୍ର ଗ୍ରହଣ କରିବେ । ହେଲେ ସମୟ ଅଭାବରୁ ସେ ନିଜେ ଦାବୀପତ୍ର ନନେଇ ଅଧିକାରୀ ମାନଙ୍କୁ ଗ୍ରହଣ କରିବାକୁ କହିଥିଲେ । ତେଣୁ ଏ ଦାବୀପତ୍ର ଗୁଡିକ ଠିକ ଜାଗାକୁ ଯିବ ନା ଅଳିଆ ଗଦାକୁ ଯିବ ବୋଲି ଚର୍ଚ୍ଚା ହେଉଥିଲା ।

ସେଲଫି ନେବାକୁ ଟଣାଓଟରା….

ପାଣ୍ଡିଆନଙ୍କ ସହ ସେଲଫି ନେବା ପାଇଁ ସ୍ଥାନୀୟ ନେତା ଓ ଯୁବକ ମାନଙ୍କ ମଧ୍ୟରେ ଯେଭଳି ପ୍ରତିଦ୍ୱନ୍ଦିତା ଚାଲିଥିଲା ତାହା ଦେଖି ଲୋକେ କୁହାକୁହି ହେଉଥିଲେ ଯେ ସେ ଜଣେ ସେଲିବ୍ରେଟି ନା ରାଜନେତା ନା ଅଧିକାରୀ । କାରଣ ମନ୍ତ୍ରୀ ମାନଙ୍କ ସହ ମଧ୍ୟ ଏଭଳି ସେଲଫି ନେବାକୁ ଭିଡ ହୋଇ ନ ଥାଏ । ତେଣୁ ପାଣ୍ଡିଆନ ପ୍ରକୃତରେ ପାୱାର ଅଫ୍ ପଲିଟିକ୍ସ ବୋଲି ଚର୍ଚ୍ଚା ହେଉଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.