ଦାଦପୁରରେ ପଙ୍କୋଦ୍ଧାର ବେଳେ ମଧ୍ୟଯୁଗର କୀର୍ତ୍ତିରାଜି ଆବିଷ୍କୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଦାଦପୁରଠାରେ ଏକ ପୋଖରୀର ପଙ୍କୋଦ୍ଧାର ସମୟରେ ଆବିଷ୍କୃତ ହୋଇଛି ମଧ୍ୟଯୁଗର କୀର୍ତ୍ତିରାଜି। ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଏସଏଫସି ଯୋଜନାରେ ଜେସିବି ମାଧ୍ୟମରେ ପଙ୍କୋଦ୍ଧାର ଚାଲିଥିବା ବେଳେ ପୋଖରୀର ମଧ୍ୟଭାଗରେ କିଛି କାରୁକାର୍ଯ୍ୟ ଖଚିତ ପଥର ଉଦ୍ଧାର ହୋଇଥିଲା। ଏହା ମଧ୍ୟଯୁଗର ବୋଲି ଗବେଷକମାନେ ଦାବି କରିଛନ୍ତି। ଏଥିରେ ମନ୍ଦିରର ଅନେକ ଭଗ୍ନାବଶେଷ ମିଳିଥିବା ବେଳେ ପୋଖରୀ ତଳେ ଐତିହାସିକ କୀର୍ତ୍ତିରାଜି ରହିଥିବା ଅନୁମାନ କରାଯାଉଛି। ଏହା ଦେଖିବା ପାଇଁ ପ୍ରବଳ ଜନସମାଗମ ହେବା ପରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ଥାନକୁ ସିଲ୍ କରାଯାଇଛି। ବିଶିଷ୍ଟ ଐତିହାସିକ ଉମାଶଙ୍କର କର କହିଛନ୍ତି ଯେ, ଦାଦପୁର ଅଞ୍ଚଳର ସଭ୍ୟତା ନୂତନ ପ୍ରସ୍ତର ଯୁଗ, ଲୌହ ଯୁଗରୁ ଆରମ୍ଭ କରି ମଧ୍ୟ ଯୁଗ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପୂର୍ବରୁ ଏଠାରୁ ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର, ପଥର, ଅଳଙ୍କାର ଆଦି ଆବିଷ୍କାର କରାଯାଇଛି। ମଧ୍ୟଯୁଗରେ ଦାଦପୁର-ଜାଜଲଦେଇପୁରକୁ କେନ୍ଦ୍ର କରି ଏକ ନଗର ସଭ୍ୟତା ଗଢ଼ି ଉଠିଥିଲା। ଏବେ ମଧ୍ୟ ଏଠାରେ ପୁରାତନ ଗଡ଼ର ଭଗ୍ନାବଶେଷ ବିଦ୍ୟମାନ। ତେଣୁ ଏ ଦିଗରେ ଅଧିକ ଗବେଷଣା ହେଲେ ଇତିହାସର ଅନେକ ତଥ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.