ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ଝରଣାରେ ରବିବାର ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସିଥିବା ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଯୁବକ ଧର୍ମଗଡ଼ ସହରର ହରେଶ କୁମାର ଅଗ୍ରୱାଲଙ୍କ ପୁଅ ଅମନ ଅଗ୍ରୱାଲ (୨୫) ବୋଲି ଜଣାପଡ଼ିଛି। ପୁଲିସର ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଧର୍ମଗଡ଼ ସହରର ୪ଜଣ ସାଙ୍ଗ ଅମନ ଅଗ୍ରୱାଲ, ଅଜିତ ପାଟ୍ଟଯୋଷୀ, ଦେବେଶ ଅଗ୍ରୱାଲ ଓ ପ୍ରଭୂଦତ୍ତ ବେହେରା ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାକୁ ବୁଲିବାକୁ ଆସିଥିଲେ। ତେବେ ଏଠାରେ ଥିବା ଡୋକରୀଦର ଝରଣାର ଗଭୀର ପାଣି ଭିତରେ ଅମନ ଖସିପଡ଼ି ଥିଲେ। ଅଘଟଣ ପରେ ସେଠାରେ ନେଟୱର୍କ ନଥିବାରୁ ସାଥୀରେ ଥିବା ସାଙ୍ଗ ମାନେ କିଛି ଦୂରକୁ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଝରଣାର ଗଭୀର ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀ ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।