ନର୍ଲା ବ୍ଲକରେ ଡେଙ୍ଗୁ ସଚେତନତା ବୈଠକ

ଶୁକ୍ରବାରକୁ ଶୁଷ୍କ ଦିବସ ଭାବରେ ଗ୍ରହଣ କରାଗଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ କାର୍ଯ୍ୟାଳୟର ସମ୍ମେଳନ କକ୍ଷରେ ଡେଙ୍ଗୁ ସଚେତନତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ଅକ୍ଷୟକୁମାର ଗୋଚ୍ଛାୟତ । ଏଥିରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୂର୍ଯଦେବ ବାଗ ପ୍ରମୁଖ ମଞ୍ଚାସୀନ ରହି ଡେଙ୍ଗୁର ପ୍ରାଦୁର୍ଭାବ ଓ ଏହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ । ଏହି ଅନ୍ତ ସେକ୍ଟର ସଂଯୋଜନା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର ସାହୁ, ଆଶା କର୍ମୀ, ଆଇସିଡିଏସ ସୁପରଭାଇଜର, ଶିକ୍ଷକ ମାନେ ଉପସ୍ଥିତ ରହି ଡେଙ୍ଗୁ ବ୍ୟାପିବାର ବିଭିନ୍ନ ଦିଗ ଓ ଏହାର ନିରାକରଣ ବିଷୟରେ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଶେଷ କରି କଠିଣ ଚଟାଣ ଯୁକ୍ତ ସାମଗ୍ରୀ ଯଥା ନଡିଆ ଖୋଳପା, ପ୍ଲାଷ୍ଟିକ ପାଣି ବୋତଲ, ଟିଣ ଡବା ପ୍ରଭୃତିରେ ପାଣି ଦୀର୍ଘଦିନ ଧରି ଜମି ରହିଲେ ସେଥିରେ ଅଣ୍ଡାଦେଇ ଡେଙ୍ଗୁ ବାହକ ମଶା ତାର ବଂଶ ବିସ୍ତାର କରିଥାଏ । ଏଣୁ ପ୍ରତି ଶୁକ୍ରବାରକୁ ଶୁସ୍କ ଶୁକ୍ରବାର ଭାବରେ ଗ୍ରହଣ କରାଯାଇ ସେହିନ ଏସବୁ ସାମଗ୍ରୀ ମାନଙ୍କରୁ ପାଣି ନିସ୍କାସନ କରି ଡେଙ୍ଗୁ ମ୍ୟାଲେରିଆ ବଂଶ ବୃଦ୍ଧିକୁ ରୋକିବା ପାଇଁ ଜନସଚେତନତା ସୃଷ୍ଟି ମିମନ୍ତେ ସ୍ଥିରିକୃତ କରାଯାଇଥିଲା । ଦୃଶ୍ୟଶ୍ରାବ୍ୟ ଯନ୍ତ୍ର ମାଧ୍ୟମରେ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବା ଓ ଏହାକୁ ରୋକିବାର ବିଭିନ୍ନ ବିନ୍ଦୁ ଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ନର୍ଲା ମେଡିକାଲ ଷ୍ଟାଫ୍ ଦେବାଶିଷ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିପିଏମ ସବୀର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.