କବାଡିବାଲା ଗୁଣ୍ଡା ଲଗାଇବା ମାହାଙ୍ଗା ପଡିଲା

ଘରକୁ ମରଣାଅସ୍ତ୍ର ଧରି ଧମକଚମକ ଦେବା ସହ ଭଙ୍ଗାରୁଚା କରିବା ଘଟଣାରେ କବାଡିଵାଲା ସହ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଘୁନସର ଗ୍ରାମରେ ଜଣେ କବାଡିଵାଲାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚୋରୀ ସାମଗ୍ରୀ କିଣି ବିକ୍ରିକୁ ବିରୋଧ କରିବାରୁ କବାଡିଵାଲା ଜଣକ ଗୁଣ୍ଡା ଲଗାଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମହଙ୍ଗା ପଡିଛି । ଉକ୍ତ ଘଟଣାରେ ସଇଁତଲା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କବାଡିଵାଲା ଙ୍କ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ, ସିମାଞ୍ଚଳ ଧଳ ନାମକ ଜୈନିକ ବ୍ୟକ୍ତି ନୟାଗଡ଼ କଣ୍ଟିଲୋରୁ ଆସି ଘୁନସର ଗାଁରେ ଏକ କବାଡି ଦୋକାନ ଖୋଲି ବ୍ୟବସାୟୀ କରୁଛନ୍ତି । ସେହି ଗାଁର ଅପିନ ସାହୁ ନାମକ ବ୍ୟକ୍ତି ଉକ୍ତ କବାଡିବାଲାଙ୍କୁ କାହିଁକି ଚୋରୀ ସାମଗ୍ରୀ କିଣୁଛୁ ବୋଲି କହିଥିଲେ । ଏଥିରେ କବାଡିବାଲା ଜଣକ ରାଗି ଯାଇ ତୋର କଣ ଗଲା କହି ଧମକ ଚମକ ଦେବା ସହ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଗାଁର ଯୁବକମାନଙ୍କୁ  ଲଗାଇ ଗତ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ଅପିନଙ୍କ ଘରକୁ ମରଣାଅସ୍ତ ଧରି ଯାଇଥିଲେ । ହେଲେ ଅପିନ ଘରର କବାଟ ନ ଖୋଲିବାରୁ କବାଟକୁ ଧରୁଆଅସ୍ତ୍ରରେ ଆକ୍ରମଣ କରିବା ସହ ବିଭିନ୍ନ ଗାଳିଗୁଲଜ କରି ଧମକଚମକ ଦେଇଥିଲେ । ଏହାର ପର ଦିନ ଅର୍ଥାତ ୨୧ ତାରିଖ ଦିନ ଅପିନ ସାହୁ ସଇଁତଲା ଥାନାରେ କବାଡିବାଲା ସହ ଯୁବକମାନଙ୍କ ନାମରେ ଏତଲା ଦେଇଥିଲା । ଏହାକୁ ଭିତ୍ତି କରି ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ କେଶ ନଂ ୧୪୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଘୁନସର ଗାଁର ବାଦଲ ଭୋଇ, ପ୍ରଶାନ୍ତ ରଣା, ସବୁଜ ଭୋଇ, ଶୁଭେନ୍ଦୁ ଭୋଇ, ସିପୁ ରଣା, ରିଲୁ ରଣା ଓ ମୁଖ୍ୟ ଅଭିଯୁକ୍ତ ସିମାଞ୍ଚଳ ଧଳଙ୍କୁ ପୋଲିସ ଗିରଫ କରିବା ସହ ଏକ ହୋଣ୍ଡା ବାଇକ ନଂ ଓଡି ୦୮-ଟି ୭୧୪୦ ଓ ଅନ୍ୟ ବାଇକଟି ବିନା ନମ୍ବର ବିହୀନ ବାଇକ ସହ ଟାଙ୍ଗି, ବରଚ୍ଛା, ଲୁହା ରଡ଼ ଓ ତାବିଲି ଇତ୍ୟାଦି ପୋଲିସ ଜବତ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.