ଭାରତ-ଆମେରିକା ସମ୍ପର୍କ ମଜବୁତ ପଛରେ କମଲା ହାରିସଙ୍କ ଅବଦାନ ଅତୁଳନୀୟ: ମୋଦୀ

ଓଡ଼ିଆ ବାର୍ତ୍ତା/ ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ହାରିସ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉପରାଷ୍ଟ୍ରପତିଙ୍କ ସଫଳତା କେବଳ ଆମେରିକା ପାଇଁ ନୁହେଁ, ଭାରତ ଓ ସାରା ବିଶ୍ୱର ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଶେଷ ଦିନରେ ସେ କହିଛନ୍ତି, ଗତ ତିନି ଦିନରେ ମୁଁ ଅନେକ ବୈଠକରେ ଭାଗ ନେଇଥିଲି। ଏହି ସବୁ ବୈଠକରେ ଗୋଟିଏ କଥା ସାଧାରଣ ଥିଲା। ଭାରତ ଓ ଆମେରିକାର ଲୋକମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସହଯୋଗ ଆହୁରି ନିବିଡ଼ ହେବା ଆବଶ୍ୟକ ବୋଲି ସମସ୍ତେ ସହମତ ହୋଇଥିଲେ। ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତା ଏବଂ ଦୁଇ ଦେଶର ନାଗରିକଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ଆମେରିକା ସମ୍ପର୍କର ମଧୁର ସଙ୍ଗୀତ ଆମ ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କ ଦ୍ୱାରା ପ୍ରସ୍ତୁତ ହୋଇଛି। କମଲା ହାରିସ୍ ମଧ୍ୟ ଭାରତୀୟ ସମୁଦାୟର ଆମେରିକା ପ୍ରତି ଅବଦାନକୁ ପ୍ରଶଂସା କରି କହିଛନ୍ତି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଆମେରିକୀୟମାନେ ଆମ ଦେଶ ଉପରେ ଯେଉଁ ଅସାଧାରଣ ପ୍ରଭାବ ପକାଇଛନ୍ତି, ତାହା ମୋତେ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଓ ଆମେରିକା ପ୍ରତିରକ୍ଷା ଓ ରଣନୈତିକ କ୍ଷେତ୍ରରେ ସହଯୋଗକୁ ଅଧିକ ମାତ୍ରାରେ ବୃଦ୍ଧି କରିଛନ୍ତି ଏବଂ ଉଭୟ ଦେଶ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ବିଶ୍ୱାସ ସହିତ କାର୍ଯ୍ୟ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.