ବାରହା ଆକ୍ରମଣ: ମାଁ ମୃତ, ପୁଅ ଗୁରୁତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ଵାରହାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ ଯାଇଥିବା ମାଁ ଓ ପୁଅ ବାରହା ଆକ୍ରମଣରେ ଶିକାର ହୋଇ ମାଁଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ପାପି ଗ୍ରାମର ରେଖ ବାଘ(୫୭) ଓ ତାଙ୍କ ପୁଅ ବଳଦେବ ବାଘ (୩୭) ନିଜ ଚାଷଜମିକୁ ପଲ୍ଲା ପକେଇବା ପାଇଁ ଯାଇଥିବା ବେଳେ ଜଙ୍ଗଲି ଵାରହାଙ୍କ ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମେ ମା ରେଖଙ୍କୁ ବାରହା ଆକ୍ରମଣ କରିଥିବା ବେଳେ ପୁଅ ବଳଦେବ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବାରହା ଆକ୍ରମଣର ଶିକାର ହୋଇଛନ୍ତି । ଉଭୟ ମାଁ ଓ ପୁଅକୁ ବାରହା ଆକ୍ରମଣ କରି ବିଭିନ୍ନ ସ୍ଥାନରେ କାମୁଡି କ୍ଷତ ବିକ୍ଷତ କରି ଦେଇଥିଲା । ଘଟଣା ପ୍ରଘଟ ହେବାପରେ ଘର ଲୋକ ଓ ଗ୍ରାମବାସୀ ତୁରନ୍ତ ଚିକିତ୍ସା ପାଇଁ ବିନିକା ଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଦେଖିବା ପରେ ମାଁ ରେଖାକୁ ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ପୁଅ ବଳଦେବର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଏସିଏଫ ପ୍ରଫୁଲ୍ଲ ଧରୁଆ, ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ଓ ଷ୍ଟାପ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ । ପରେ ମୃତକଙ୍କ ପରିବାରଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଥମେ ସରକାରଙ୍କ ତରଫରୁ ୬୦ ହଜାର ଟଙ୍କା ଦିଆଯାଇଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ୧୪ ଦିନ ତଳେ ଅଡାକସା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାରହା କାମୁଡି ଦେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଠିକ ସେହିପରି ଆହୁରି ଅନେକ ଲୋକ ବାରହା ଆକ୍ରମଣର ଶିକାର ହୋଇଥିବା ନଜିର ରହିଥିବା ବେଳେ ସେମାନେ ଚିକିତ୍ସିତ ପରେ ନୂଆ ଜୀବନ ପାଇଥିବା ଜଣାପଡ଼ିଛି । ସ୍ମରଣଯୋଗ୍ୟ ଯେ ଜିଲ୍ଲାର ଅନେକ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ମାନଙ୍କର ଚାଷଜମିର ମଧ୍ୟ ବାରହା ମାନେ ପ୍ରଭୁତ କ୍ଷତି ପହଞ୍ଚାଉଥିବା ତଥା ଏମାନଙ୍କ ଆକ୍ରମଣରେ ବିଭିନ୍ନ ଲୋକ ଆହତ ଘଟଣା ବାରମ୍ବାର ଦୃଷ୍ଟି ଗୋଚର ହେଉଥିବା ବେଳେ ଉପଯୁକ୍ତ ଟ୍ରେଞ୍ଚ ଖୋଳା ନଯିବା ହେତୁ ମଧ୍ୟ ଅନେକ ବନ୍ୟପ୍ରାଣୀ ବାଟହୁଡି ସହର ମୁହାଁ ହେଉଛନ୍ତି । ଏ ଦିଗରେ ବନବିଭାଗ ଉପଯୁକ୍ତ ଧ୍ୟାନ ଦେବାସହ ବାରହା ଆକ୍ରମଣ ରେ ମୃତ ରେଖଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.