ୟୁସିସି ବିଲ୍ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଦିବାସୀ ସଂଘର ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ସାଧାରଣ ସମ୍ପାଦକ ମାୟାଧର ମାଝୀ ଓ ସଂଘର କାର୍ଯ୍ୟକର୍ତ୍ତାମାନେ ୟୁସିସି ବିଲ୍ କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ନିମନ୍ତେ ଆଜି ମଙ୍ଗଳବାର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନର୍ଲା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କର ପ୍ରସ୍ତାବିତ ସମାନ ନାଗରିକ ସଂହିତା (ୟୁ.ସି.ସି)କୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ବିରୋଧ କରୁଛି। ସମାନ ନାଗରିକ ସଂହିତା କହୁଛି ଦେଶରେ ସମସ୍ତ ନାଗରିକ ପାଇଁ ଗୋଟିଏ ନିୟମ ସୁନିଶ୍ଚିତ କରିବା। ସମସ୍ତ ଧର୍ମିକ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ସେମାନଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ସମ୍ପତ୍ତି, ବିବାହ, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଇତ୍ୟାଦିରେ ପ୍ରକୃର୍ଯ୍ୟ ହେବବୋଳି କୁହାଯାଇଛି କିନ୍ତୁ ଆଦିବାସୀ ବର୍ଗ ପାଇଁ ଏହା ସ୍ଵାଗତ ଯୋଗ୍ୟ ନୁହେଁ। ଆଜିବି ଦେଶରେ ଅନେକ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ଜଙ୍ଗଲ, ପର୍ବତ ଓ ଗ୍ରାମରେ ବସବାସ କରି ଜୀବନ ବିତାଉଛନ୍ତି ତାଙ୍କର ଭାଷା, ସଂସ୍କୃତି, ରୀତିନୀତି, ଚାଲିଚଳଣି, ପର୍ବ ପର୍ବାଣୀ, ବିବାହ ପୂଜା ପଦ୍ଧତି ସଂପୂର୍ବ ଭିନ୍ନ। ସେମାନେ ସମାଜର ମୂଖ୍ୟ ସ୍ରୋତ ଠାରୁ ଦୂରରେ ରହି ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ରହିଛନ୍ତି। ତେବେ ଆଦିବାସୀଙ୍କ ସ୍ୱତନ୍ତ୍ରତା ଓ ସାଧୁତା ଉପରେ ସମାନ ନାଗରିକ ସଂହିତା ଅଙ୍କୁଶ ଲଗାଇ ତାଙ୍କ ପରମ୍ପରାକୁ ଶେଷକରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଏହି ବିଲକୁ ଲୋକ ସଭା ଓ ରାଜ୍ୟ ସଭାରେ ପାସ ନକରାଯାଉ ବୋଲି ଆଦିବାସୀ ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.