ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁର ଜଣେ ୮ ବର୍ଷର ଶିଶୁ ନୀଳକଣ୍ଠ ବରିହାକୁ ଶନିବାର ସନ୍ଧ୍ୟାରେ ଆକ୍ରମଣ କରିଛି ବାଘ | ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ସିଲେରୀବାହାଲ ର ରାମେଶ୍ୱରୀ ମାଝୀ (୪୫)କୁ ଶୌଚ କରିବାକୁ ଯାଇଥିବା ସମୟରେ ଟେକି ନେଇ ଯାଇ ମାରି ଖାଇଥିଲା | ତାଙ୍କର ମୃତ ଦେହକୁ ଆଜି ଜଙ୍ଗଲରୁ ବନ ବିଭାଗ ଉଦ୍ଧାର କରିଥିଲା | ଗତ ସୋମବାର ଦିନ ସନ୍ଧ୍ୟାରେ କଟିଙ୍ଗପାଣି ଗାଁ ଗୋଧସ ପଡାର ଘର ସାମ୍ନାରୁ ୮ ବର୍ଷର ଶିଶୁ ଡମୁ ଧରୁଆକୁ ମଧ୍ୟ ନେଇ ବାଘ ମାରି ଦେଇଥିଲା | ତେବେ ଏହି ଅଂଚଳରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି | ବର୍ତ୍ତମାନର ସୂଚନା ଅନୁସାରେ କୋଦୋପାଲି ଗାଁର ଜଣଙ୍କ ଘର ଛାଉଣି ଉପରକୁ ବାଘ ଚଢି ଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ବନ ବିଭାଗ ପକ୍ଷରୁ ୫ ଜଣିଆ ଏକ ନିଶ୍ଚେତକ ଦଳ ଏ. ସି. ଏଫ ଏମ. ଡ଼ି ସାଲିଆଙ୍କ ନେତୃତ୍ୱରେ ଗଠନ କରି କୋଦୋପାଲି ଗାଁକୁ ଯାଇଥିବା ଖଡ଼ିଆଲ ଡ଼ି.ଏଫ.ଓ ସୁଶୀଲ ତ୍ରିପାଠୀ ସୂଚନା ଦେଇଛନ୍ତି |