ମହଙ୍ଗା ପଡିଲା ଯୁବକଙ୍କ ଚା ପିଆ ନିଶା : ଦୁଇ କପ୍ ଚାହାର ଦାମ ୨୫୦୦ ଟଙ୍କା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଗତକାଲି ସହରରେ ରାତି ୧୧ ଟା ବେଳେ ବୁଲୁଥିବା ଦୁଇ ଜଣ ଯୁବ (ରୋମିଓ)ଙ୍କୁ ପୋଲିସ ଅଟକାଇଥିଲା ବେଳେ ତାଙ୍କୁ ପଚାରିବାରୁ ଚାହା ପିଇବାକୁ ଦୋକାନ ଖୋଜୁଛୁ ଆଜ୍ଞା ବୋଲି ପୋଲିସକୁ କହିଥିଲେ। ପୋଲିସ କିନ୍ତୁ ବିନା କାମରେ ବିଳମ୍ୱିତ ରାତିରେ ବୁଲୁଥିବା ଏହି ଦୁଇ ଯୁବକଙ୍କୁ ହେଲମେଟ ଓ ବାଇକ୍ କାଗଜ ପତ୍ର ଯାଞ୍ଚ ପରେ ୨୫୦୦ ଟଙ୍କା ଜୋରିମାନା କରି ବାଇକ୍ ଓ ଦୁଇ ଯୁବକଙ୍କୁ ରାତିରେ ଥାନାରେ ଅଟକ ରଖି ସକାଳେ ଚାହା ପିଲାଇ ଛାଡିଥିଲେ। ରାସ୍ତା କଡରେ ବିନା ଲକ୍ ରେ ଥିବା ବାଇକ ଗୁଡ଼ିକୁ ମଧ୍ଯ ଥାନାକୁ ଉଠାଇ ଆଣିଥିଲେ ଓ ଏଣିକି ଗାଡ଼ି ମାଲିକଙ୍କୁ ସଜାଗ ରହିବାକୁ ଓ ବାଇକ୍ କୁ ସୁରକ୍ଷିତ ରଖିବାକୁ ଚେତାବନୀ ଦେଇଥିଲେ। ଆଜି ପୁଣି ସହରର ପଟାଭାଡ଼ି, ନଳିନୀ ଛକ ଓ ବିଭିନ୍ନ ଛକରେ ଥାନା ଅଧିକାରୀ ପଦ୍ମାସିନି ମେହେରଙ୍କ ନେତୃତ୍ଵରେ ଏକ ସ୍ପେଶାଲ ସ୍କ୍ୱାର୍ଡ ବାଇକ୍, ଓଟୋ ଗାଡ଼ି ଗୁଡିକର ହେଲମେଟ, ସ୍ପିଡ ଓ ଡକ୍ୟୁମେଣ୍ଟ ଯାଞ୍ଚ କରି ଖୁବ ଫାଇନ୍ ଆଦାୟ କରିଥିଲେ। ଆଗକୁ ନୂଆ ବର୍ଷ ଆସୁଥିବାରୁ ଯୁବ ପୀଢ଼ି ଅଧିକ ଉତ୍ସୁଙ୍ଖଳିତ ନ ହେବାକୁ, ବିଳମ୍ୱିତ ରାତିରେ ନ ବୁଲିବାକୁ, ଦ୍ରୁତ ଵେଗରେ ଗାଡ଼ି ନ ଚଳାଇ ସଡ଼କ ସୁରକ୍ଷା ନିୟମ ମାନି ଦୁର୍ଘଟଣା ରୋକିବାକୁ, ନିଶା ସେବନ ଓ ଅସାମାଜିକ କାର୍ଯ୍ଯରୁ ଦୁରେଇ ରହି ପରସ୍ପର ପ୍ରତି ସ୍ନେହ ଆଦର ରଖି ନିଜେ ଓ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖିବାକୁ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ନିବେଦନ କରିଛନ୍ତି। ଏବେ ସହରରେ ଚର୍ଚ୍ଚା ୨ କପ୍ ଚାହାକୁ ୨୫୦୦ ଟଙ୍କା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.