ଜାନୁଆରୀ ୭ରେ ହେବ ନୌ ଚାଳନା ଏବଂ ତୀର ଚାଳନା ପ୍ରତିଯୋଗୀତା
ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ସ୍ଥାନୀୟ ଥୁଆମୁଳ ରାମପୁର ବ୍ଲକ ସଭାଗୃହରେ ୨୬ ତମ ଜିଲ୍ଲା ସ୍ତରୀୟ ନୌ ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଥୁଆମୁଳ ରାମପୁର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ ଅଧ୍ୟକ୍ଷତା କରିଥିଲେ।କଳାହାଣ୍ଡି ଉତ୍ସବ ନୌ ଚାଳନା ଓ ତୀର ଚାଳନା ପ୍ରତିଯୋଗୀତା ସବ୍ କମିଟିର ଅଧ୍ୟକ୍ଷ ପଦ୍ମ କିଶୋର ପୁଝାରୀଙ୍କ ଉପସ୍ଥିତିରେ ଆଗାମୀ ଜାନୁଆରୀ ୭ ତାରିଖ ଦିନ ମହୁଲପାଟଣା ଅନ୍ତର୍ଗତ କେନ୍ଦୁଗୁଡା ଇନ୍ଦ୍ରାବତୀ ଜଳଭଣ୍ଡାର ଠାରେ ଏହି ପ୍ରତିଯୋଗିତା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା। ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀମାନେ କିପରି ଭାଗ ନେଇ ପାରିବେ ସେଥିପାଇଁ ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ନିଆଯାଇଥିଲା।ପ୍ରତିଯୋଗିତା ସ୍ଥାନରେ ବିଭିନ୍ନ ବିଭାଗର ଷ୍ଟଲ ଏବଂ ଏକ ସିକେଲସେଲ ପରୀକ୍ଷଣ ଶିବିର ଆୟୋଜନ ପାଇଁ ମଧ୍ୟ ଯୋଜନା କରାଯାଇଛି।ସ୍ଥାନଟିକୁ ଉତ୍ସବ ମୁଖର କରିବା ପାଇଁ ଥୁଆମୁଳ ରାମପୁର ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ଦଳକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏଥିରେ ବିଷମଗିରି,ଥୁଆମୁଳ ରାମପୁର, ମହୁଲପାଟଣା, ଗୋପାଳପୁର କନ୍ୟାଶ୍ରମ, ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗ୍ରାମ ବିକାଶ ଶିକ୍ଷା ନିକେତନର ନୃତ୍ୟ ଦଳକୁ ସୁଯୋଗ ଦେବା ପାଇଁ ଆଲୋଚନା ହୋଇଥିଲା।ଏହି ବୈଠକରେ ସ୍ଥାନୀୟ ତହସିଲଦାର କବିରାଜ ପ୍ରଧାନ, ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀତିଶ ଝା, ଜିଲ୍ଲା ମତ୍ସ୍ୟ ଅଧିକାରୀ କଳାହାଣ୍ଡି, ଅଗ୍ନିଶମ କାର୍ଯ୍ୟାଳୟର ହାବିଲଦାର ସୁନୀଲ ବେହେରା, ବ୍ଲକ ଜନ ମଙ୍ଗଳ ଅଧିକାରୀ ସ୍ବାଇଁ ବାବୁ, ସିଡିପିଓ, ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ପୋଲିସ ବିଭାଗର କର୍ମଚାରୀ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସ୍ଥାନୀୟ ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।





