ଲାଞ୍ଜିଗଡ଼ ଅଞ୍ଚଳର ଯୁବ କଳାକାର ଅକୃର ଭୋଇଙ୍କ ଦୁଃଖଦ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁର ଯୁବ କଳାକାର ଅକୃର ଭୋଇଙ୍କ ଦୁଃଖଦ ମୃତ୍ୟୁକୁ ନେଇ କଳାହାଣ୍ଡି ସ୍ତବ୍ଧ ହୋଇଯାଇଛି। ପରିବାର ପ୍ରତିପୋଷଣ ପାଇଁ ଅକୃର ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ।  ସୋମବାର ଦିନବେଳେ ଖାଇସାରି ବାହାରକୁ ହାତ ଧୋଇବାକୁ ଯାଇଥିବାବେଳେ ତଳେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ୍ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗାଁର ସଞ୍ଜୟ ବୁଦ୍ଧିଆ, ଭୁଜଦେବ ନାଏକ, ନୀଳମଣି ଚନ୍ଦନ ପ୍ରମୁଖ ନିଜସ୍ୱ ଉଦ୍ୟମରେ ଏକ ଗାଡି ନେଇ ବୁର୍ଲା ଯାଇଥିଲେ। ସେମାନଙ୍କ ସହିତ ଅକୃରଙ୍କ ବଡ଼ଭାଇ ଅର୍ଜୁନ ଭୋଇ, କାକା କାଲାମଣି ଭୋଇ ପ୍ରମୁଖ ବୁର୍ଲା ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶବ ନେଇ ଫେରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଁ ମଶାଣିରେ ଶବ ସଂସ୍କାର କରାଯାଇଥିଲା। ଶବାଧାରରେ ନାରାୟଣ ଚନ୍ଦନ, ବଂଶୀଧର ଚନ୍ଦନ, ଧନୁ ଗହୀର, ନୀଳମଣି ଚନ୍ଦନ, ଭୁଜଦେବ ନାଏକ, ଶୁକୃ ତାଣ୍ଡି, ଶିକ୍ଷକ ତଥା ସମାଜସେବୀ ବିଭୁତି ଭୂଷଣ ତାଣ୍ଡି, ଭାଗିରଥି ତାଣ୍ଡି, ଅମରେଶ ବୁଦ୍ଧିଆ, ସିଦ୍ଧାନ୍ତ ସାହୁ, ଛବି ଗବର୍ତ୍ତୀ, ଅଭି ବଗର୍ତି, ରାହୁଲ ସୁନା, ଶ୍ୟାମ ସୁନା, ଅର୍ଜୁନ ବେନୁଆ, ରାଜେଶ ମାଝୀଙ୍କ ସମେତ ବହୁସଂଖ୍ୟାରେ ଆତ୍ମୀୟ ସ୍ୱଜନ ସାମିଲ ଥିଲେ। ଅକୃରଙ୍କ ଅକାଳ ମୃତ୍ୟୁରେ କମର୍ଦ୍ଧା ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅକୃର ପିଲାଟି ଦିନରୁ ନିଜେ ଗୀତ ଲେଖିବା ଓ ଗାଇବା ସହିତ ଜଣେ କଳାକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଏପରିକି ତାଙ୍କ ପ୍ରଯୋଜନାରେ ୨୦୧୯ ଅଗଷ୍ଟ ୨୦ ତାରିଖରେ ‘କଲାହାଣ୍ଡିଆ ପିଲା’ ଶୀର୍ଷକ ସମ୍ବଲପୁରୀ ଗୀତ ମୁକ୍ତିଲାଭ କରି ସମଗ୍ର କଳାହାଣ୍ଡିରେ ଚହଳ ପକାଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.