ଦୁଇ ଦିବସୀୟ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ ତାଲିମ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଭାନପୁରରେ ରହିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ତରଫରୁ ସଂଯୋଜକ ସୁକାନ୍ତ ଚାନ୍ଦଙ୍କ ନେତୃତ୍ୱରେ ମହିଳା ଚାଷୀ ମାନଙ୍କୁ ନେଇ ଆତ୍ମା ସହଯୋଗରେ ତଥା ୱାସନ ଗାଇଡ ଲାଇନରେ ଭାନପୁର ଗ୍ରାମ ପଂଚାୟତର ରାକ୍ସୀ ଓ କମେଗାଁରେ ଦୁଇ ଦିବସୀୟ ଅଣ ଆବାସିକ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

ଶିବିର ମାନଙ୍କରେ ସଂଯୋଜକ ଶ୍ରୀ ଚାନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଶିବିରର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏଥିରେ ରିସୋର୍ସ ପର୍ସନ ଭାବରେ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଯୋଗଦାନ କରି ମାଣ୍ଡିଆ ଚାଷର ପଦ୍ଧତି, ପ୍ରଣାଳୀ ଓ ଅଧିକ ଅମଳ କରିବାର ସୂତ୍ର ଗୁଡ଼ିକ ଉପରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ।

ମାଣ୍ଡିଆ, ଗୁରଜି, କୋଦୋ, କାଙ୍ଗ ଭଳି ସ୍ଵାସ୍ଥ୍ୟ ଉପଯୋଗୀ ବିଭିନ୍ନ କ୍ଷୁଦ୍ର ଶସ୍ୟ ଗୁଡ଼ିକର ଚାଷ ଉପରେ ଏବେ ସରକାର ଗୁରୁତ୍ଵ ଦେଇ, ଏସବୁ କ୍ଷୁଦ୍ର ଶସ୍ୟକୁ ଚାଷ କରିବା ପାଇଁ ସରକାର ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦେଉଛନ୍ତି। ଏହି ଅଞ୍ଚଳର ଚାଷୀ ଆଗରୁ ପାରମ୍ପରିକ ରୀତିରେ ଏସବୁ କ୍ଷୁଦ୍ର ଶସ୍ୟ ଚାଷ କରି ଖାଉଥିଲେ। ଏହି ସବୁ ସ୍ୱାସ୍ଥ୍ୟକର ଖାଦ୍ୟ ଶସ୍ୟ ଧିରେ ଧିରେ ଲୋପ ପାଇବାକୁ ବସୁଥିବାରୁ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ପୁଣି ଏହି ସବୁ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର କରୁଛନ୍ତି।

ଏଣୁ ଏସବୁ ବିଷୟ ଅବଗତ କରାଇ ଉପରୋକ୍ତ ଦୁଇ ଗୋଟି ଗ୍ରାମର ଚାଷୀଙ୍କୁ ଏହି ସ୍ଵାସ୍ଥ୍ୟ ହିତକାରୀ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ ବିଷୟରେ ଦୁଇଦିନ ଧରି ତାଲିମ ଶିବିରରେ ତାଲିମ ପ୍ରଦାନ କରି ଚାଷୀଙ୍କୁ ଉତ୍ସାହିତ କରଯାଇଥିଲା। ଶିବିରକୁ ସହଭାଗୀ ବିକାଶ ଅଭିଯାନର ନର୍ଲା ସଂଯୋଜକ ଶ୍ରୀ ଚାନ୍ଦ ପରିଚାଳନା କରିଥିବା ବେଳେ ଗୋପୀନାଥ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.