ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ହେଲା ‘ଭାଷା ସାହିତ୍ୟ ଚର୍ଚ୍ଚା’

ଚଳଚ୍ଚିତ୍ର ଜନ୍ମଲଗ୍ନରୁ ସାହିତ୍ୟ ସହିତ ରହିଆସିଛି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଚଳଚ୍ଚିତ୍ର ତା’ର ଜନ୍ମଲଗ୍ନରୁ ସାହିତ୍ୟ ସହିତ ରହିଆସିଛି। ଓଡ଼ିଆ ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପକୁ ଆଧାର କରି ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇ ବ୍ୟବସାୟିକ ସଫଳତା ପାଇଥିଲା ବେଳେ ଅନେକ ସାରସ୍ବତ କୃତି ଚଳଚ୍ଚିତ୍ର ହେବା ପରେ ତାହା ଲୋକପ୍ରିୟ ହୋଇଥିଲା ବୋଲି ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ଆୟୋଜିତ ‘ଦ୍ୱିମାସିକ ଭାଷାସାହିତ୍ୟ ଚର୍ଚ୍ଚା’ରେ ପ୍ରବନ୍ଧ ଉପସ୍ଥାପନ କରି ସାହିତ୍ୟିକ ତଥା ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିଜୟ ମଲ୍ଲ ପ୍ରକାଶ କରିଛନ୍ତି।

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମଲ୍ଲ ‘ଓଡ଼ିଆ ଚଳଚ୍ଚିତ୍ରରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନ କରି କହିଲେ ଯେ, ନାଟ୍ୟକାର କାମପାଳ ମିଶ୍ରଙ୍କ ନାଟକ ‘ସୀତାବିବାହ’କୁ ନେଇ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ ନିର୍ମିତ ହୋଇଥିଲା। ଏହା ପରେ ଅଶ୍ୱିନୀ କୁମାର ଘୋଷ, ବସନ୍ତ କୁମାରୀ ପଟ୍ଟନାୟକ, କାହ୍ନୁଚରଣ ମହାନ୍ତି, ଭଞ୍ଜ କିଶୋର ପଟ୍ଟନାୟକ ପ୍ରମୁଖଙ୍କ ସାହିତ୍ୟ କୃତିକୁ ଆଧାର କରି ନିର୍ମିତ ଚଳଚ୍ଚିତ୍ର ବେଶ୍ ପ୍ରଭାବଶାଳୀ ହୋଇପାରିଛି।

ଏହି କାର୍ଯ୍ୟକ୍ରମରେ ‘ଉତ୍କଳ ସାହିତ୍ୟ ସମାଜ’ର ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମ ସୂଚନା, ସାହିତ୍ୟ ଆଲୋଚନାର ସଂପାଦକ ସରୋଜିନୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଡକ୍ଟର ସୁବାସିନୀ ଲେଙ୍କା, ଡକ୍ଟର ଅର୍ଜୁନ ଚରଣ ମଲ୍ଲିକ, ଉମାଶଙ୍କର ମିଶ୍ର, ସଚ୍ଚିଦାନନ୍ଦ କର, ତପନ କୁମାର ସ୍ବାଇଁ, ଡକ୍ଟର ସରସ୍ବତୀ ପାତ୍ର, ଡକ୍ଟର ଶାନ୍ତିଲତା ବେହେରା, ଅକ୍ଷୟ କୁମାର ମିଶ୍ର, ଶଶିକାନ୍ତ ରାଉତ, ଶାନ୍ତିଲତା ସିଂହଦେଓ ଓ ରାଧାଶ୍ୟାମ ରାଉଳ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୋଜ ପଟ୍ଟନାୟକ, ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ, ପୂର୍ବତନ ଉପସଭାପତି ସୁସ୍ମିତା ରଥ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତି, ମୁରଲୀଧର ଶତପଥୀ, ଦିଲ୍ଲୀପ କୁମାର ଦାସଙ୍କ ସମେତ ସାରସ୍ବତ ସାଧକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ଶିବାଶିଷ କର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.