ନର୍ଲା ସତସଙ୍ଗ କେନ୍ଦ୍ରର ୧୮ମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରବିବାର ନର୍ଲା ସତସଙ୍ଗ କେନ୍ଦ୍ରର ଅଷ୍ଟାଦଶ ତମ ପ୍ରତିଷ୍ଠା ଦିବସ ସାଙ୍ଗକୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ମହା ଆଡମ୍ବର ସହକାରେ ନର୍ଲା ସତସଙ୍ଗ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ସତସଙ୍ଗ କେନ୍ଦ୍ରଟିକୁ ସାରା ରାତି ନର୍ଲା ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ନୂଆ ବୋହୁ ଭାବରେ ସଜେଇ ଥିଲେ । ବଡି ଭୋରରୁ ହିଁ ଶହସ୍ରାଧିକ ଦୀକ୍ଷାଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ।

ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ ରୁ କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଥିବା ବେଳେ ବ୍ରାହ୍ମ ମୂହୁର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ, ସକାଳ ୫ ଟା ବେଳେ ଉଷାକୀର୍ତ୍ତନ, ୬.୨୬ ରେ ସମବେତ ପ୍ରାର୍ଥନା ଓ ପ୍ରଣାମ, ଉଷାବିନତୀ, ସକାଳ ୯ ଘଣ୍ଟା ସମୟରେ ସଙ୍ଗୀତାଞ୍ଜଳୀ, ୧୦ ଟା ବେଳେ ନଗର ପରିକ୍ରମା, ପୂର୍ବାହ୍ନ ୧୧.୩୦ ରୁ ସତସଙ୍ଗ ଓ ସଦାଲୋଚନା, ୨ ଟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସନ୍ଧ୍ୟା ୬ ଘଣ୍ଟା ସମୟରେ ସମବେତ ପ୍ରାର୍ଥନା ଓ ସତସଙ୍ଗ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ଏହି ଭବ୍ୟ କାର୍ଯ୍ୟକ୍ରମଟି ଭବାନୀପାଟଣାରୁ ଆସିଥିବା ସହପ୍ରତୀକ ରିତିକ ସରୋଜ କାନ୍ତ ଖମାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ସତସଙ୍ଗୀ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ମାନବ ସମାଜକୁ ଦେଇଥିବା ଦିଗ୍ଦର୍ଶନ ଉପରେ ଆଲୋକପାତ କରି ଏକ ହିଂସା ବିହୀନ, ନିଶାମୁକ୍ତ ସୁସ୍ଥ ସମାଜ ଗଠନ ଉପରେ ଆଲୋଚନା କରି ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରିଥିଲେ ।

ଭବାନୀପାଟଣାର ସରୋଜ କୁମାର ଖାମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବାଲେଶ୍ଵର ରୁ ଆସିଥିବା ସହ ପ୍ରତୀକ ରିତିକ ଚକ୍ରଧର ଜେନା ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ।ପ୍ରାରମ୍ଭିକ ଆଲୋଚନା ଡ଼ ପ୍ରଫୁଲ୍ଲଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଅଧୁର୍ଯ୍ୟ ମାନେ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ନର୍ଲା ସତସଙ୍ଗ ବିହାର ର ଅଧୁର୍ଯ୍ୟ କର୍ମୀ ଅଧ୍ୟାପକ ସରୋଜ ଜେନା, ଯାଜକ କର୍ମୀ ହୃଷିକେଶ ଭୋଇ, ଶ୍ୱେତ ନାଏକ, ସୁବାଷ ଚନ୍ଦ୍ର ବରାଡ, ଗୋପୀନାଥ ଥାପା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଥିବା ଡ଼ ଶାନ୍ତନୁ ମଜୁମଦାର ପ୍ରମୂଖ ମିଳିତ ଭାବରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ନର୍ଲା ସତସଙ୍ଗ କେନ୍ଦ୍ର ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିରର ବିଶେଷ ଆୟୋଜନ କରାଯାଇଥିଲା।

ଏଥିରେ ଅର୍ଥୋପେଡିକ ଏବଂ ସର୍ଜିକାଲ ଡାକ୍ତର ଡ.ପ୍ରଫୁଲ୍ଲ କୁମାର ସାହୁ, ଡ. ଜୀବନ କୁମାର ଦାସ, ଦନ୍ତ ଚିକିତ୍ସକ ଡ. ସୁମିତ କୁମାର ମଜୁମଦାର, ଡ.ଶାନ୍ତନୁ ମଜୁମଦାର, ଡ.ପ୍ରବୀଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହିତ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ନୂତନ ଭାବରେ ସତ୍ ମନ୍ତ୍ରରେ ଅଭିମନ୍ତ୍ରୀତ ହୋଇଥିଲେ। ଶେଷରେ ସଂସ୍କାର ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.