ପାଳିତ ହେଲା ଗାନ୍ଧୀବାଦୀ ଶତାବ୍ଦୀ ପୁରୁଷ ରବୀନ୍ଦ୍ର ମୋହନ ଦାସଙ୍କ ୧୧୪ ତମ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସାଧାରଣ ମଣିଷଙ୍କ ସୁଖଦୁଃଖର ସାଥୀ, ଶିକ୍ଷା ତଥା ସୁସ୍ଥ ସମାଜ ଗଠନର ବିରଳ ବ୍ୟକ୍ତିତ୍ଵ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ରବୀନ୍ଦ୍ର ମୋହନ ଦାସଙ୍କ ୧୧୪ତମ ଜୟନ୍ତୀ ଫକୀରମୋହନ ବିଶ୍ଵବିଦ୍ୟାଳୟ ପରିସରରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ବିଶ୍ଵବିଦ୍ୟାଳୟ ଓ ରବୀନ୍ଦ୍ର ମୋହନ ଫାଉଣ୍ଡେସନ୍‌ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏଇ ଜୟନ୍ତୀ ଉତ୍ସବ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ହୋଇଥିଲା। ପ୍ରଥିତଯଶା ସାମାଜିକ କର୍ମୀ ପ୍ରସିଦ୍ଧ ବାଜିରାଉତ ଛାତ୍ରାବାସର ସତ୍ବାଧିକାରୀ ଡକ୍ଟର କ୍ରିଷ୍ଣା ମହାନ୍ତି ରବୀନ୍ଦ୍ରମୋହନଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଉଦ୍‌ଘାଟନ କରି ଆଦର୍ଶପୁରୁଷ ରବୀନ୍ଦ୍ର ମୋହନଙ୍କ କର୍ମପ୍ରବଣତା ଏବଂ ସ୍ୱପ୍ନ ସଂପର୍କରେ ଆଲୋକପାତ କରି ଆଜିର ଫକୀରମୋହନ ବିଶ୍ଵବିଦ୍ୟାଳୟ ରବୀନ୍ଦ୍ରମୋହନଙ୍କ ସ୍ୱପ୍ନର ସଫଳ ରୂପାୟନ ବୋଲି ମତପ୍ରକାଶ କରିଥିଲେ। ସେହିପରି ବଙ୍ଗସାହିତ୍ୟର ବିଶିଷ୍ଟ କବୟିତ୍ରୀ ପ୍ରାଧ୍ୟାପକ ଡକ୍ଟର ମନ୍ଦାର ମୁଖାର୍ଜୀ ତାଙ୍କ ପରିବାରର ରବୀନ୍ଦ୍ର ମୋହନଙ୍କ ପରିବାର ସହ ଅନ୍ତରଙ୍ଗ ଭାବେ ସଂପର୍କିତ ହେବାର ସୂଚନା ପ୍ରଦାନ କରିଥିଲା ବେଳେ ଦୀନକୃଷ୍ଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର, ଗାନ୍ଧୀ ଆଦର୍ଶାନୁରାଗୀ ଡ. ବିଶ୍ୱଜିତ୍ ଏବଂ ମିହିର କୁମାର ଦାସ ପ୍ରମୁଖ ଭାରତର ସ୍ଵାଧୀନତା ଆନ୍ଦୋଳନରେ ରବୀନ୍ଦ୍ର ମୋହନଙ୍କ ସାହସିକତା ଓ ଅବିସ୍ମରଣୀୟ ଜିଦଖୋର ପ୍ରତିଜ୍ଞା କିପରି ଆମ୍ଭମାନଙ୍କୁ ସ୍ଵାଧୀନତା ପାଇବାର ସଫଳତା ଆଣି ଦେଇଥିଲା ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସ୍ୱର୍ଗୀୟ ରବୀନ୍ଦ୍ରମୋହନ ଦାସଙ୍କ ଜ୍ୟେଷ୍ଠକନ୍ୟା କବୟତ୍ରୀ ଯଶୋଧାରା ଦାସ ସ୍ଵାଗତ ସଂଭାଷଣ ରଖିଥିଲା ବେଳେ କବି ଶ୍ରୀଦେବ ଜୟନ୍ତୀ ସମାବେଶ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିକଳ୍ପନା କରିଥିଲେ । ପ୍ରାରମ୍ଭରେ ଶ୍ରୀମତୀ କଲ୍ୟାଣୀ ନନ୍ଦ ଓ ସାଥୀମାନେ ସ୍ଵାଗତ ସ୍ମୃତି ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଶ୍ରୀମତୀ ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.