ସି.ଏଚ୍.ଆର.ସି.ର ତ୍ରୟୋଦଶ ମାନବାଧିକାର ମହାଧିବେଶନ, ଏକ ଐତିହାସିକ ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭାରତର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ହ୍ୟୁମାନ୍ ରାଇଟସ୍ କ୍ଲିନିକର ତ୍ରୟୋଦଶ ରାଷ୍ଟ୍ରୀୟ ମହାଅଧିବେଶନ ସାବିତ୍ରୀ ଦେବୀ ଚ୍ୟାରିଟେବଲ ଟ୍ରଷ୍ଟ, ଭୁବନେଶ୍ଵର ସହାୟତାରେ ମୟୂରଭଞ୍ଜ ଜିଲ୍ଲାର କୋହି ଗ୍ରାମରେ ସଂପ୍ରତି ସିଏଚ୍.ଆର. ସି.ର ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ମହାଅଧିବେଶନକୁ ଆୟୋଜନ କରିବାରେ ସି.ଏଚ୍.ଆର.ସି.ର ମୟୂରଭଞ୍ଜ ଶାଖାର ମୁଖ୍ୟ ପରେଶ ନାଥ ପାତ୍ର ଏବଂ ତାଙ୍କର ସହଧର୍ମିଣୀ ଡକ୍ଟର ଅଞ୍ଜଳି ଟିପିରିଆ ପ୍ରମୁଖ ଭୂମିକା ନିଭାଇଥିଲେ ।

ମହାସଚିବ ସି.ଏଚ୍.ଆର.ସି.ର ଏହି ମହା ଅଧିବେଶନକୁ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କୁମାର କିଶାନ ଉଦ୍‌ଘାଟନ କରି ପୋଲିସର କର୍ତ୍ତବ୍ୟ ବିଷୟରେ ଏକ ନାତିଦୀର୍ଘ ବକ୍ତବ୍ୟ ରଖିଥିଲେ ଏବଂ ପୋଲିସ କାର୍ଯ୍ୟରେ ଜନସାଧାରଣ ସହଯୋଗ କଲେ ସେମାନଙ୍କ କାର୍ଯ୍ୟ ସୁଗମ ହୋଇପାରିବ ବୋଲି କହିଥିଲେ। ଏହାପରେ ସି.ଏଚ୍.ଆର.ସି.ର ଚଉଦ୍ଵାର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଜୟକୃଷ୍ଣ ମହାନ୍ତ, ଅନୁଷ୍ଠାନର କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ସମ୍ୟକ ସୂଚନା ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅଧିବେଶନର ସଦସ୍ୟମାନଙ୍କୁ ମୁଖ୍ୟ ଅତିଥି ପ୍ରଫେସର ନିରଂଜନ ବାରିକ, ସ୍ଵତନ୍ତ୍ର ଅତିଥି ପ୍ରାଧ୍ୟାପିକା ତଥା ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ, ବାରିପଦା ମହାବିଦ୍ୟଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଦୀପ କିଶୋର ପଣ୍ଡା, ବାରିପଦା ଶ୍ରୀମା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶ୍ୟାମା ଦାଶ, ରାଞ୍ଚି ନିଫ୍‌ଟର ପ୍ରଫେସର ବଂଶୀଧର ମଲ୍ଲିକ, କବି ସୁକୁମାର ଦାସ, ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଦାଶ, କୁଞ୍ଜବନ ପୃଷ୍ଟି, ସେବାନିବୃତ୍ତ ବ୍ୟାଙ୍କର ବରିଷ୍ଠ ପଦାଧିକାରୀ ଜିତେନ୍ଦ୍ର ନାଥ ବାସା, ବିଶ୍ଵକେଶନ ବେହେରା, ଆଡ଼ଭୋକେଟ ତଥା ସିଏଚଆରସିର ଆଇନ ଉପଦେଷ୍ଟା ପ୍ରତାପ କେଶରୀ ଦାଶ, ଏମ୍.ପି.ସି. ଜୁନିଅର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସେଠୀ, ମୁକ୍ତାରଉଦ୍ଦିନ ଇତ୍ୟାଦି ଉଦ୍‌ବୋଧନ ଦେଇଥିଲେ। ସମସ୍ତ ବକ୍ତା ମାନବ ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶିମିଳିପାଳ ଜାତୀୟ ଉଦ୍ୟାନର ସୁରକ୍ଷା, ଶିଶୁ ସୁରକ୍ଷା, ନାରୀ ସୁରକ୍ଷା ଇତ୍ୟାଦି ବିଷୟ ଉପରେ ନିଜ ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ଏହି ଅଧିବେଶନରେ ମାନବାଧିକାର ସଂପର୍କିତ ବିଷୟବସ୍ତୁ ଉପରେ ବିଷଦ ଆଲୋଚନା ହୋଇ ଏକ ସଂକଳ୍ପନାମା ଗୋପବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇ ତାହା ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇତ୍ୟାଦିଙ୍କ ପାଖକୁ ପ୍ରେରଣ କରାଯିବା ପାଇଁ ସ୍ଥିର କରାଗଲା।

ଏହି ମହାଧିବେଶନର ଅନ୍ୟ ଦୁଇଗୋଟି ଆକର୍ଷଣ ଥିଲା ସମାଜସେବା, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିବା ଏବଂ ବିଶ୍ଵ ପ୍ରସିଦ୍ଧ ଛଉନୃତ୍ୟ ଶିଳ୍ପୀମାନଙ୍କ ଛଉନୃତ୍ୟ ପ୍ରଦର୍ଶନ। ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ମହାନ୍ତ, ଛଉନୃତ୍ୟର ପୃଷ୍ଠପୋଷକ ଡକ୍ଟର ଅଞ୍ଜଳି ଟିପିରିଆ, ସାମ୍ବାଦିକ ଶରତ ଚନ୍ଦ୍ର ବେହେରା, ସମାଜସେବୀ ଚତୁର୍ଭୁଜ ପାଟବନ୍ଧା ଓ ଛଉନୃତ୍ୟ ଶିଳ୍ପୀ ସମରଜିତ ଟିପିରିଆ ଏହି ମହାଧିବେଶନରେ ସମ୍ମାନିତ ହୋଇଥିବା ବେଳେ, ଗାନ୍ଧୀ ଜୟନ୍ତ ଟିପିରିଆଙ୍କ ତତ୍ତ୍ଵାବଧାନରେ ଛଉନୃତ୍ୟ ଶିଳ୍ପୀ ସମରଜିତ, ଶ୍ରୀକାନ୍ତ, ଶାନ୍ତି ଚନ୍ଦନ, ପ୍ରଗତି, ସୋନାକ୍ଷୀ, ଅଷ୍ଟମୀ ଇତ୍ୟାଦି ଛଉନୃତ୍ୟ ପରିବେଷଣ କରିଥିଲେ । ସର୍ବଶେଷରେ ଡକ୍ଟର ଅଞ୍ଜଳି ଟିପିରିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.