ରାୟଗଡ,୩୦/୭ : କଟକସ୍ଥିତ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଂଯୋଗ” ଓ ରାୟଗଡ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ଆଜି (ମଙ୍ଗଳବାର) ଦିନ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ତାଲିମ କେନ୍ଦ୍ରରେ ରାୟଗଡ ଜିଲ୍ଳାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା, ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ, ଚାଇଲ୍ଡ ଲାଇନର ସମସ୍ତ କର୍ମକର୍ତାଙ୍କୁ ନେଇ ଅନୁଷ୍ଠାନରେ କିଭଳି ଭାବରେ ଶିଶୁମାନଙ୍କୁ ନିଶ୍ଚିତ ଗୁଣାତ୍ମକ ଯତ୍ନ ଓ ସେବା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ରାୟଗଡ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର ମୁଖ୍ୟ ଅତିଥି, ସମ୍ମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ, ମୁଖ୍ୟ ବକ୍ତା ଭାବେ ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ହୃଦୟାନନ୍ଦ ପଣ୍ଡାଙ୍କ ସମେତ ସଂଯୋଗ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂହ ଯୋଗ ଦେଇଥିବା ବେଳେ ରାୟଗଡ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତମାନ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରାଜକିଶୋର ସାହୁ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ ଓ ରୁଚିକା ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ତଥା ଖୋର୍ଦ୍ଧା ଜିଲ୍ଳାର ଶିଶୁ ମଙ୍ଗଳ କମିଟିର ପୂର୍ବତନ ସଦସ୍ୟ ଡଃ.ବେଣୁଧର ସେନାପତି ବିଷୟ ବିଶାରଦ ଭାବରେ କର୍ମଶାଳାରେ ଯୋଗ ଦେଇଥିଲେ । “ସଂଯୋଗ” ସଂସ୍ଥାର ମଣ୍ଡଳ ସଂଯୋଜକ ମନୋରଂଜନ ସାହୁଙ୍କ ସମେତ ଜଗନ୍ନାଥ ସାହୁ,ରୂପାଲି ମହାନ୍ତି, ରିଙ୍କୁ ବିଶ୍ୱାଳ କର୍ମଶାଳାକୁ ସଂଚାଳନ କରିବା ସଙ୍ଗେ ସଙ୍ଗେ ରାୟଗଡ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ଶ୍ରୀମତି ସତ୍ୟପ୍ରିୟା ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।