ସୁବର୍ଣ୍ଣପୁରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଉଦଘାଟିତ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାର ପରିବହନ ବିଭାଗ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସୁବିଧା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟାସ୍ଥିତ ଜିଲ୍ଲା ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ରର ଆଜି ଉଦ୍ଘାଟନ ଓ ଲୋକାର୍ପଣ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ପ୍ରତିକ୍ଷୀତ କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ଏହି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଯାନ ଚାଳନା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ପକ୍ଷତା ଆଣିବ। ପୁନଶ୍ଚ ଏହି ବ୍ୟବସ୍ଥା ଫଳରେ ଦକ୍ଷ ଓ ଯୋଗ୍ୟ ଚାଳକମାନେ ମାନ୍ୟତା ପାଇବେ ଏବଂ ଅଯୋଗ୍ୟ ଓ ବେନିୟମ ଗାଡ଼ିଚାଳନାକୁ ରୋକି ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ। ଏହି ଶୁଭ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଆଭାସୀ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ବଲାଙ୍ଗୀର ଲୋକସଭା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର, ଆନନ୍ଦ ବାରିକ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, କାଉନସିଲର ଗଙ୍ଗା ତରିଆ, ଯୁବ ନେତା ଦୀପକ ମହାପାତ୍ର, ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳ ପ୍ରମୁଖ ଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ ଓ ସ୍ଥାନୀୟ ନେତୃମଣ୍ଡଳୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବସ ଓ ଟ୍ରକ ଚାଳକ ସଙ୍ଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ଓସ୍ୱାନ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଭାସୀ ଯୋଗଦାନ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ଓ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ତଥା ବିଭିନ୍ନ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶପଥ ପାଠ ପ୍ରଦାନକୁ ସମସ୍ତେ ଅନୁକରଣ ସହ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.