ଦିଲ୍ଲୀ ଏମ୍ସ ଠାରେ ବଳଙ୍ଗା ପୀଡିତାଙ୍କୁ ଭେଟିଲେ ସୁନୀତି ମୁଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ବଳଙ୍ଗା ଠାରେ ଷୋହଳ ବର୍ଷର ଝିଅ କୁ ପେଟ୍ରୋଲ ଢାଳି ପୋଡ଼ିବା ଘଟଣାରେ ପୀଡ଼ିତା ନାବାଳିକାଙ୍କୁ ସୁନୀତି ମୁଣ୍ଡ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଭେଟିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଓ ଅଭାବନୀୟ ଘଟଣା ପ୍ରତି ସୁନୀତି ଦୁଃଖ ପ୍ରକାଶ କରିବା ସହିତ ଅତ୍ୟନ୍ତ ମର୍ମାହତ ଥିବା ବ୍ୟକ୍ତ କରିଛନ୍ତି। ପୀଡିତାଙ୍କ ଶରୀର ଉପରି ଭାଗରେ ବିଶେଷ କ୍ଷତି ନାହିଁ କିନ୍ତୁ ପେଟ ଠାରୁ ତଳକୁ ପାଦ ପର୍ଯ୍ୟନ୍ତ କ୍ଷତି ଗ୍ରସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି। ସୁନୀତି ପୀଡିତାଙ୍କ ପିତାଙ୍କ ସହିତ କଥା ହୋଇ ଝିଅଟିର ଚିକିତ୍ସା ସମ୍ପର୍କରେ ବୁଝାସୁଝା କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ପରିବାର ଲୋକଙ୍କ ଠାରୁ ପ୍ରକାଶ। ଝିଅର ଅବସ୍ଥାକୁ ନେଇ ତାଙ୍କ ପିତା ଖୁବ୍ ଭାଙ୍ଗିପଡିଥିବା ବେଳେ ସୁନୀତି ତାଙ୍କୁ ଆଶ୍ୱସ୍ତ କରିଛନ୍ତି। ତାଙ୍କର ଦୁଇ ଝିଅ ମଧ୍ୟରୁ ପୀଡିତା ବଡ, ଯିଏକି ଅଷ୍ଟମ ଶ୍ରେଣୀ ଶିକ୍ଷାପରେ ତିନି ବର୍ଷ ହେଲା ପାଠ ପଢ଼ା ଛାଡି ଦେଇ ଘରେ ଥିଲେ। ଦୁର୍ଘଟଣା ଦିନ ସକାଳ ସାତଟା ସମୟରେ ସେ ଘରୁ କୌଣସି କାରଣ ବଶତଃ ବାହାରକୁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୁଅନ୍ତୁ, ଏହା ମହାପ୍ରଭୁଙ୍କ ଠାରେ ସେ ପ୍ରାର୍ଥନା କରିଛନ୍ତି। ଦୁର୍ବୃତ୍ତ ମାନଙ୍କୁ ସରକାର ଶୀଘ୍ର ଠାବ କରି ଉପଯୁକ୍ତ ଦଣ୍ଡ ତୁରନ୍ତ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.