ଲାଞ୍ଜିଗଡ ଅଞ୍ଚଳରେ ପାଳିତ ହେଲା ହରାଲି ଉଁଆସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡିଆ ଜାତିର ମହାନ ପର୍ବ ଚିତାଲାଗି ଅମାବାସ୍ୟା ପଶ୍ଚିମ ଓଡିଶାରେ ହରାଲି ଉଆଁସ ଭାବେ ଖ୍ୟାତ। ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଏହି ପାର୍ବଣ ଅନୁଷ୍ଠିତ ହୁଏ। ଏହି ଅଞ୍ଚଳର ବିଭିନ୍ନ ସଂପ୍ରଦାୟ ହରାଲି ଉଆଁସକୁ ପାରଂପରା ଅନୁକ୍ରମେ କୂଳାଚାର ରିତି ଅନୁସାରେ ପାଳନ କରିଥାନ୍ତି। ଚିତାଲାଗି ଅମାବାସ୍ୟା ଓଡିଶାର ପୁରପଲ୍ଲୀରେ ପାଳିତ ହେଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ୍ୟ ଏହି ପର୍ବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ପର୍ବ କୃଷକମାନେ ଗୃହରେ ସ୍ୱତନ୍ତ୍ର ଭାବରେ ଅରୁଆ ଚାଉଳ ଓ ନଡ଼ିଆରେ ପିଠାପଣା ପ୍ରସ୍ତୁତ କରି ପ୍ରଥମେ ଇଷ୍ଟ ଦେବାଦେବିଙ୍କୁ ଅର୍ପଣ କରି ଶସ୍ୟ କ୍ଷେତରେ ମାଟି ମାଁଙ୍କ ପୂଜାର୍ଚନା କରିଥାନ୍ତି ଓ ଗେଣ୍ଡା ମାନଙ୍କୁ ପିଠା ପଣା ଅର୍ପଣ କରିଥାନ୍ତି। ସେହିପରି ଉପାନ୍ତ ଅଞ୍ଚଳ ମାନଙ୍କରେ କୃଷକ ମାନେ ଗୋମାତାଙ୍କ ସମେତ ଗୋଶାଳାରେ ପୂଜାର୍ଚନା କରି କେନ୍ଦୁ ଗଛରୁ ଖୁଣ୍ଟ ପ୍ରସ୍ତୁତ କରି ସେହି ଖୁଣ୍ଟରେ ଶତାବରୀ ଲତାକୁ ଗୁଡ଼ାଇ ଶସ୍ୟକ୍ଷେତ ମଝିରେ ପୋତି ଥାନ୍ତି। ଚିତାଲାଗି ଅମାବାସ୍ୟାରେ କ୍ଷେତରେ କେନ୍ଦୁଗଛରେ ପ୍ରସ୍ତୁତ ଖୁଣ୍ଟ ପୋତିବା ଦ୍ୱାରା ରୋଗ ପୋକରୁ ଚାଷ ରକ୍ଷା ପାଇବା ସହିତ ଶସ୍ୟ ଭଲ ଅମଳ ହୋଇ ଥାଏ ବୋଲି ଲୋକଙ୍କ ବିଶ୍ୱାସ ରହି ଆସିଛି।ଏହି ଗଣପର୍ବ ଚିତାଲାଗି ଅମାବାସ୍ୟା ଆମର ଦ୍ୱିତୀୟ ଜନନୀ ଭାବେ ମାଟି ମାଁର ପୂଜନ ସହିତ ପ୍ରକୃତି ଲୋକରେ ଉତ୍ତର ପିଢ଼ି ପାଇଁ ସୃଷ୍ଟି କରିଥାଏ ଏକ ଉନ୍ନତ ପରମ୍ପରା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.