ଆୟୁଷ୍ମାନ କାର୍ଡ ଫେରାଇଦେଲା ବେସରକାରୀ ହସ୍ପିଟାଲ: ଆଇସିୟୁ ଭିତରେ ରୋଗୀଙ୍କ ଜୀବନ ସଂଘର୍ଷ

ଦିନକୁ ଖର୍ଚ୍ଚ ହେଉଛି ପଚାଶ ହଜାର ଟଙ୍କା : ସର୍ବସ୍ୱାନ୍ତ ହେଲେଣି ବୃଦ୍ଧ ବାପ-ମାଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୃଦ୍ଧ ବାପ-ମାଆଙ୍କ ଗୋଟିଏ ବୋଲି ରୋଜଗାରିଆ ପୁଅ। କାମ କରି ପରିବାର ଚଳାଉଥିଲେ। କିନ୍ତୁ କେଜାଣି କାହିଁକି ହଠାତ ଅସୁସ୍ଥ ହୋଇପଡିଲେ। ଦେଖୁ ଦେଖୁ ଗୁରୁତର ଅବସ୍ଥା। ସ୍ଥାନୀୟ ଡାକ୍ତର ଚିକିତ୍ସା କରିବାକୁ ହାତ ଟେକିଦେଲେ। ଶେଷରେ ଅନ୍ୟ ଉପାୟ ନପାଇ ନିଜର ସମ୍ପର୍କୀୟଙ୍କ ସହାୟତାରେ ନେଲେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସେଭେନ ହିଲସ ହସ୍ପିଟାଲକୁ। ସେଠାରେ ଭର୍ତ୍ତି କରିବାବେଳକୁ ଅତି ଗୁରୁତର ଅବସ୍ଥା ସହିତ ସଂଜ୍ଞାହୀନ ହୋଇପଡ଼ିଥିଲେ ଯୁବକ ଜଣକ। ଆଇସିୟୁରେ ଭର୍ତ୍ତି କରିବା ସହିତ ଆରମ୍ଭ ହେଲା ବ୍ୟୟବହୁଳ ଚିକିତ୍ସା। ତେବେ ପାଖରେ ଆୟୁଷ୍ମାନ ଭାରତ କାର୍ଡ ଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ ସଫା ସଫା ମନା କରିଦେଲେ। ଦୈନିକ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଇ ଛଅ ଦିନ ମଧ୍ୟରେ ଧାର କରଜ ଓ ଜମି ବନ୍ଧକ କରି ତିନିଲକ୍ଷ ଟଙ୍କା ପୈଠ କଲେଣି। ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଟଙ୍କା ମାଗୁଥିବାବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି ବୁଢ଼ା ବାପ ଓ ମାଆ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଆୟୁଷ୍ମାନ ଭାରତ କାର୍ଡ ଆଦୌ କାମ ନଦେବାରୁ ସେମାନେ ଚିନ୍ତିତ ହୋଇପଡିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗାଁର ବିକ୍ରମ ହରିଜନଙ୍କ ପୁଅ ମିଥୁନ ହରିଜନଙ୍କ କ୍ଷେତ୍ରରେ। ଛଅଦିନ ହେଲା ମିଥୁନ ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ବେସରକାରୀ ହସ୍ପିଟାଲରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଠିକ ସେତିକିବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ପାଇଁ ଜାରି ହୋଇଥିବା ଆୟୁଷ୍ମାନ କାର୍ଡ କାମ ନଦେବାରୁ ଏହି ଗରିବ ପରିବାର ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଏଣୁ ଗରିବ ଓ ଅସହାୟ ମିଥୁନକୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଦାବି କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ଗୁହାରି କରିଛନ୍ତି। ସେହିପରି ବିଶିଷ୍ଟ ସମାଜସେବୀ ଓ ରାଜନେତା ଡ. ଭବାନୀଶଙ୍କର ନିଆଲ ଏହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ସହିତ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.