ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରଵ : ଯୁବକଙ୍କୁ ମାରି ଖଣ୍ଡ ବିଖଣ୍ଡ ଶରୀରକୁ ଏଣେ ତେଣେ ଫୋପାଡ଼ି ଦେଲା ଦନ୍ତା ହାତୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ନିକଟସ୍ଥ ମାଲାନ ସୁଗା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦନ୍ତା ହାତୀ ଦଳି ଚକଟି ମାରି ଦେଇଥ‌ିବା ଅଭିଯୋଗ ହୋଇଛି। ପଦାସାହିରୁ କାମ ସାରି ଫେରୁଥିବା ବେଳେ ପାଜିମାହା ପାଖରେ ସାମନ୍ତ ଦିଗାଲଙ୍କୁ ଏକ ଦନ୍ତା ହାତୀ ଦଳି ଚକଟି ଅତି ନିର୍ମମ ଭାବେ ମାରି ଦେଇଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟ ଜଣେ ପ୍ରାଣ ବିକଳରେ ଧାଇଁ ପଳାଇଥିଲେ। । ପ୍ରାୟ ଦୁଇ ଶହ ମିଟର ଭିତରେ ଖଣ୍ଡ ଖଣ୍ଡ ହୋଇ ମୃତ ଦେହ ପଡ଼ି ରହିଅଛି। କିଛି ଦେହର ଅଂଶ ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ। ଏହି ଘଟଣା କୁ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଉପୁଜିଛି । ଖବର ପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି , ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବ୍ୟକ୍ତିଙ୍କ ପରିବାରକୁ ରବିବାର ସରକାର ଙ୍କ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଉ ୧୫ ଦିନ ମଧ୍ୟରେ ୯୦ ହଜାର ଦିଆଯିବ ଏବଂ ପୋଷ୍ଟମଟମ୍ ରିପୋର୍ଟ ଆସିଲା ପରେ ୯ ଲକ୍ଷ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୟ କୁମାର ବିଶି । ଚଳିତ ବର୍ଷ ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ବହୁ ଘର ଭାଙ୍ଗିବା ସହ ବହୁ ଫସଲ, ଗଛ ନଷ୍ଟ ହୋଇଛି। କିଛି ଦିନ ତଳେ ସୁଜେଲୀ ଗ୍ରାମର ପାତ୍ର ନାୟକଙ୍କୁ ଏକ ପାହାଡ ଉପରେ ହାତୀ ମାରି ଦେଇଥିବାର ଅଭିଯୋଗ ହୋଇଥିଲା।ଘୁମୁସର ବନଖଣ୍ଡ ରୁ ଅଧିକ ହାତୀ ଆସି ଏହି ଅଞ୍ଚଳରେ ଉପଦ୍ରବ ଚଲାଇଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.