ପ୍ରକୃତି ପାହାଡ଼ର ପ୍ରତିଧ୍ୱନି : କଳାହାଣ୍ଡିର କନ୍ଧ ସମ୍ପ୍ରଦାୟର ଜୀବନଧାରା ଓ ଲୋକପରମ୍ପରା

କଳାହାଣ୍ଡି ଓଡ଼ିଶାର ଏକ ସୁନ୍ଦର ଏବଂ ଐତିହ୍ୟମୟ ଅଞ୍ଚଳ, ଯାହା ପୂର୍ବତନ ଦେଶୀୟ ରାଜ୍ୟଗୁଡ଼ିକର ଭାରତୀୟ ସଂଘରେ ମିଶ୍ରଣ ପରେ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ପରିଚିତ ହୋଇଥିଲା। ଭୌଗୋଳିକ ଭାବରେ ଏହା ୧୯ ଦଶମିକ 3 ଡିଗ୍ରୀ ଉତ୍ତର ଅକ୍ଷାଂଶରୁ ୨୧ ଦଶମିକ ୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨ଦଶମିକ ୨୦ ଡିଗ୍ରୀ ପୂର୍ବ ଦ୍ରାଘିମାରୁ ୮୩ ଦଶମିକ ୪୭ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ବିସ୍ତୃତ । ଏହାର ପୂର୍ବ ଦିଗରେ କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ଅବସ୍ଥିତ ଥିବାବେଳେ ପଶ୍ଚିମ ପାର୍ଶ୍ୱରେ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ଅବସ୍ଥିତ। ଉତ୍ତରରେ ନୂଆପଡ଼ା ଓ ବଲାଙ୍ଗୀର ଏବଂ ଦକ୍ଷିଣରେ ପୁଣି ନବରଙ୍ଗପୁର ଏହାର ସୀମାକୁ ସ୍ପର୍ଶ କରିଛି। ପ୍ରାୟ ୮,୧୯୭ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଜିଲ୍ଲାର ଜନସଂଖ୍ୟା ୨୦୦୧ ମସିହାର ଜନଗଣନା ଅନୁଯାୟୀ ୧୩,୩୫,୪୯୪ ଥିଲା । କଳାହାଣ୍ଡି ମୂଳତଃ ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ ବଞ୍ଜାରା, ଭତ୍ରା, ଭୂଞ୍ଜିଆ, ବିଞ୍ଝାଲ, ଦଲ, ଗୋଣ୍ଡ, କନ୍ଧ, ମିର୍ଧା, ମୁଣ୍ଡା, ପରଜା, ସଉରା ଓ ଶବର ପରି ଅନେକ ଜନଜାତି ବାସ କରନ୍ତି। ଜିଲ୍ଲାର ଜନସଂଖ୍ୟାର ଏକ ବଡ଼ ଅଂଶ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଏହା ଆଦିବାସୀ ସଂସ୍କୃତିର ଏକ ପ୍ରମୁଖ ପ୍ରାଣ କେନ୍ଦ୍ର ଭାବେ ପରିଚିତ। ସଂଖ୍ୟାଗତ ଦୃଷ୍ଟିରୁ ଗୋଣ୍ଡମାନେ ପ୍ରଥମ ସ୍ଥାନରେ ଥିବାବେଳେ କନ୍ଧମାନେ ଦ୍ୱିତୀୟ ବୃହତ୍ତମ ଜନଜାତି ଗୋଷ୍ଠୀ । ୧୯୯୧ ମସିହାର ଜନଗଣନା ଅନୁଯାୟୀ କଳାହାଣ୍ଡିରେ କନ୍ଧମାନଙ୍କର ଜନସଂଖ୍ୟା ୧,୪୬,୨୨୫ ଥିଲା।
କଳାହାଣ୍ଡିର କନ୍ଧ ସମ୍ପ୍ରଦାୟ ମୁଖ୍ୟତଃ ତିନୋଟି ପ୍ରମୁଖ ଉପଗୋଷ୍ଠୀରେ ବିଭକ୍ତ କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ ଓ ଦେଶିଆ କନ୍ଧ। ଏହି ସମ୍ପ୍ରଦାୟଗୁଡ଼ିକ ଭବାନୀପାଟଣା, ଜୁନାଗଡ଼, କୋକସରା, କଳମପୁର, ଜୟପାଟଣା, ଥୁଆମୂଳ-ରାମପୁର, ଲାଞ୍ଜିଗଡ଼ ଏବଂ ମଦନପୁର-ରାମପୁର ବ୍ଲକରେ ବିଶେଷ ଭାବରେ ବସବାସ କରନ୍ତି। କନ୍ଧମାନେ ନିଜକୁ କଳାହାଣ୍ଡିର ପ୍ରାଚୀନତମ ଅଧିବାସୀ ବୋଲି ମନେ କରନ୍ତି ଏବଂ ଏକଦା ଏହି ଭୂମିର ବିଶାଳ ଅଂଶ ତାଙ୍କ ପୂର୍ବପୁରୁଷଙ୍କ ଅଧିକାରରେ ଥିଲା ବୋଲି ଦାବି କରନ୍ତି । ଏହି କାରଣରୁ ଅତୀତରେ ଏହି ଅଞ୍ଚଳ ‘କନ୍ଧାନ’ କିମ୍ବା ‘କନ୍ଧାନ ଦେଶ’ ନାମରେ ପରିଚିତ ଥିଲା ବୋଲି ଲୋକବିଶ୍ୱାସ ରହିଛି, ଯାହାର ଅର୍ଥ ହେଉଛି ‘କନ୍ଧମାନଙ୍କର ଭୂମି’।
କଳାହାଣ୍ଡିର କନ୍ଧ ସମାଜ ମଧ୍ୟରେ ଅନେକ ଉପବିଭାଗ ଦେଖିବାକୁ ମିଳେ। ଡଃ କୃଷ୍ଣ ଶର୍ମାଙ୍କ ମତାନୁସାରେ ଡଙ୍ଗରିଆ, କୁଭି, କୁଟିଆ, ଲାଙ୍ଗୁଲି, ପେଙ୍ଗା ଏବଂ ଝରଣିଆ ହେଉଛନ୍ତି ଏଠାରେ ପ୍ରଚଳିତ ପ୍ରମୁଖ ଉପଗୋଷ୍ଠୀ । ଅନ୍ୟ ଗବେଷକମାନେ ମଧ୍ୟ ଭିନ୍ନ ଭିନ୍ନ ଶ୍ରେଣୀବିଭାଗ ପ୍ରଦାନ କରିଛନ୍ତି । କେହି କେହି ଦେସଶିଆ ବା କଛାରିଆ କନ୍ଧ, କୁଟିଆ/କୋଟିଆ କନ୍ଧ ଓ ଡଙ୍ଗରିଆ କନ୍ଧରେ ବିଭକ୍ତ କରିଥିବାବେଳେ, ଅନ୍ୟମାନେ ଡୋଙ୍ଗରିଆ, କୁଭି, କୁଟିଆ, ଲାଙ୍ଗୁଲି, ପେଙ୍ଗା ଓ ଝରଣିଆକୁ ସ୍ୱତନ୍ତ୍ର ଶାଖା ଭାବେ ଉଲ୍ଲେଖ କରିଛନ୍ତି।‌କେତେକ ବିଦ୍ୱାନ ଡଙ୍ଗରିଆ, ଜଙ୍ଗଲିଆ, ନାଙ୍ଗଲ୍ୟା, ପଟାରିଆ, ଦେଶି କନ୍ଧ, ଝାରିଆ ଓ ମାରିଆ ଭାବେ ବର୍ଗୀକରଣ କରିଥିବାବେଳେ ଅନ୍ୟ ଏକ ମତାନୁସାରେ କୁଟିଆ, ଡଙ୍ଗରିଆ, ଝରଣିଆ, ଦେଶିଆ, ଦେଶା କନ୍ଧ, ଦଲ କନ୍ଧ ଓ ମରାଲ ଏହି ଜନଜାତିର ପ୍ରମୁଖ ଉପଶାଖା ଭାବେ ପରିଗଣିତ। ଏହା ବ୍ୟତୀତ ଦଲ କନ୍ଧ, କନ୍ଧ ପରଜା, ମରାଲ, ସୁଲିଆ କନ୍ଧ ଓ ଅନ୍ୟାନ୍ୟ କ୍ଷୁଦ୍ର ଉପଗୋଷ୍ଠୀ ମଧ୍ୟ କଳାହାଣ୍ଡିରେ ବସବାସ କରନ୍ତି । ନୃତତ୍ତ୍ୱବିଦ୍ମାନ ମାନେ ସାଧାରଣତଃ କନ୍ଧମାନଙ୍କୁ ‘ପ୍ରୋଟୋ-ଅଷ୍ଟ୍ରାଲଏଡ୍’ ଜାତିଗତ ଗୋଷ୍ଠୀ ଅନ୍ତର୍ଗତ ଭାବେ ଶ୍ରେଣୀଭୁକ୍ତ କରିଛନ୍ତି । କିନ୍ତୁ ଡଃ କୃଷ୍ଣ ଶର୍ମା ତାଙ୍କ କଳାହାଣ୍ଡି କ୍ଷେତ୍ର ଅଧ୍ୟୟନ ଆଧାରରେ ମତ ପ୍ରକାଶ କରିଥିଲେ ଯେ, କନ୍ଧମାନଙ୍କ ଶାରୀରିକ ଗଠନ ବି.ଏସ୍. ଗୁହାଙ୍କ ପ୍ରୋଟୋ-ଅଷ୍ଟ୍ରାଲଏଡ୍ ବର୍ଣ୍ଣନା ସହ ସାମଞ୍ଜସ୍ୟ ରଖିଥିଲେ ମଧ୍ୟ ସେଥିରେ ମଙ୍ଗୋଲଏଡ୍ ଉପାଦାନର ପ୍ରଭାବ ମଧ୍ୟ ଲକ୍ଷ୍ୟ କରାଯାଏ । କନ୍ଧ ସମାଜର ସାମାଜିକ ସଂଗଠନ ବହୁ ସଂଖ୍ୟକ ବଂଶ ଓ ଗୋତ୍ର ଉପରେ ଆଧାରିତ। ସେମାନଙ୍କ ମଧ୍ୟରେ ସାତଟି ପ୍ରମୁଖ ଗୋତ୍ର ଗୋଷ୍ଠୀ ରହିଛି, ଯାହାକୁ ସ୍ଥାନୀୟ ଭାଷାରେ ‘ବର୍ଗ’ କୁହାଯାଏ। ଏହି ବର୍ଗ ଗୁଡ଼ିକ ହେଲେ—ତୁପା, ଲୁହା, ବୁଡ଼କା, ଗାଙ୍କା, ସିକା, ବଡ଼ବୁଡ଼କା ଓ ଉଚ୍ଛାରିଆ। ଏହି ସାତଟି ପ୍ରମୁଖ ବର୍ଗରୁ ଶତାଧିକ ଉପଶାଖାର ଉଦ୍ଭବ ଘଟିଥିବା କୁହାଯାଏ ।

ଆଦିବାସୀ ସମାଜର ବିଶିଷ୍ଟ ଗବେଷକ ଡଃ ଦୋଳ ଗୋବିନ୍ଦ ବିଶିଙ୍କ ମତାନୁସାରେ କନ୍ଧ ସମାଜରେ ଚର୍ମିଲିକ୍ୟା, କୁଦୁର୍କ୍ୟା, ବାଲାରିଙ୍ଗ୍ୟା, ତୁର୍କ୍ୟା, ବାରାମିଲ୍କ୍ୟା, କୁର୍ମିଲ୍କ୍ୟା, ସିକା, ବେସ୍କା, ଦେହେଲିଆ, ଚିମାବିରିଆ, ମୁଟ୍କ୍ୟା, ସାତମିଲ୍କ୍ୟା, ସର୍ମୁନ୍ୟା, କୁର୍କ୍ୟା, ଦଲ, କାମାଙ୍ଗ୍ୟା, ବାଛା, ଉଚ୍ଛ୍ର୍ୟା, ଘୁସୁର୍ୟା, ଦେଶଘରିଆ, ଚିମ୍କ୍ୟା, ତୁପା, ବୁବ୍ର୍ୟା, ଧୁମ୍ନିଆ, ସାଙ୍ଗୁ, ଲୁଆ, କୁଙ୍ଗିବଡ଼କା, କାନବିରିଆ ଇତ୍ୟାଦି ଅନେକ ବଂଶଗତ ଶାଖା ରହିଛି। କୁଇ ଭାଷା କନ୍ଧ ସମ୍ପ୍ରଦାୟର ମାତୃଭାଷା ଏବଂ ଏହା ଦ୍ରାବିଡ଼ ଭାଷା ପରିବାରର କେନ୍ଦ୍ରୀୟ ଦ୍ରାବିଡ଼ ଶାଖାର ଅନ୍ତର୍ଗତ । ପାରମ୍ପରିକ ଭାବରେ କୁଇ କନ୍ଧ ମାନଙ୍କ ଏକ ମୌଖିକ ଭାଷା ଭାବେ ପିଢ଼ି ପରେ ପିଢ଼ି ପ୍ରଚଳିତ ହୋଇ ଆସିଛି । ସାଧାରଣ ସାମାଜିକ ବ୍ୟବହାର ପାଇଁ ଏହାର କୌଣସି ସର୍ବସ୍ୱୀକୃତ ଲିପି ଦୀର୍ଘ ସମୟ ପର୍ଯ୍ୟନ୍ତ ବିକଶିତ ହୋଇନଥିଲା । କୁଇ ଭାଷା ପାଇଁ ସ୍ୱତନ୍ତ୍ର ଲିପି ସୃଷ୍ଟି କରିବାର ଉଦ୍ୟମ ଅନେକ ବ୍ୟକ୍ତି କରିଥିଲେ । ଶ୍ରୀ ଦୟାନିଧି ମଲ୍ଲିକ, ଶ୍ରୀ ଦୀନବନ୍ଧୁ କହଁର, କନ୍ଧମାଳ ଜିଲ୍ଲାର ବିଶ୍ୱନାଥ ପ୍ରଧାନ ଏବଂ ଗଜପତି ଜିଲ୍ଲାର ଆର୍‍. ଉଦୟଗିରି ଅଞ୍ଚଳର ସ୍ୱର୍ଗତ ଦାସୁରାମ ମାଲେକା ଙ୍କ ଦ୍ୱାରା ପୃଥକ୍ ପୃଥକ୍ ଲିପି ଉଦ୍ଭାବନ କରାଯାଇଥିବା କଥା ଜଣାପଡ଼େ । ତଥାପି, ଏହି ଲିପିଗୁଡ଼ିକ ମଧ୍ୟରୁ କୌଣସି ଟି ମଧ୍ୟ କନ୍ଧ ସମାଜରେ ବ୍ୟାପକ ଗ୍ରହଣୀୟତା ହାସଲ କରିପାରିନାହିଁ ଏବଂ ଭାଷାର ନିୟମିତ ଲିଖିତ ବ୍ୟବହାରର ମାଧ୍ୟମ ହୋଇପାରି ନାହିଁ । ଅତୀତରେ ଖ୍ରୀଷ୍ଟିଆନ ମିଶନାରୀମାନେ ରୋମାନ ଏବଂ ଓଡ଼ିଆ ଲିପିର ସହାୟତାରେ କୁଇ ଭାଷାରେ କିଛି ପ୍ରାରମ୍ଭିକ ପାଠ୍ୟପୁସ୍ତକ ଓ ଧାର୍ମିକ ଗ୍ରନ୍ଥ ରଚନା କରିଥିଲେ। ବର୍ତ୍ତମାନ ମଧ୍ୟ କେତେକ ମିଶନାରୀ ସଂସ୍ଥା, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଏବଂ କେତେକ ବ୍ୟକ୍ତିଗତ କନ୍ଧ ଲେଖକ ଓଡ଼ିଆ ଲିପିରେ କୁଇ ଭାଷାର ସାହିତ୍ୟିକ କୃତି ପ୍ରକାଶ କରୁଥିବା ଦେଖିବାକୁ ମିଳେ । କନ୍ଧ ସମ୍ପ୍ରଦାୟର ଏକ ବଡ଼ ଅଂଶ ଦ୍ୱିଭାଷୀ । ସେମାନେ କୁଇ ଏବଂ ଓଡ଼ିଆ ଉଭୟ ଭାଷାରେ ଯଥେଷ୍ଟ ଦକ୍ଷତା ରଖନ୍ତି । କିନ୍ତୁ କେତେକ ଅଞ୍ଚଳରେ କୁଇ ଭାଷାର ବ୍ୟବହାର କ୍ରମଶଃ ହ୍ରାସ ପାଉଥିବାରୁ ଅନେକ କନ୍ଧ ଆଜି ପ୍ରାୟତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଛନ୍ତି । କଳାହାଣ୍ଡି ଅଞ୍ଚଳରେ ପ୍ରଚଳିତ କୁଇ ଭାଷାର ଉପଭାଷା ମଧ୍ୟ ଭାଷାତାତ୍ତ୍ୱିକ ଦୃଷ୍ଟିରୁ ଡୋମ ସମ୍ପ୍ରଦାୟର କଥିତ ଭାଷା ସହ କିଛି ସାମ୍ୟ ରଖିଥାଏ ବୋଲି ଭାଷାବିଦ୍ମାନ ମାନେ ମତ ପ୍ରକାଶ କରିଛନ୍ତି । ଏହି ସାମ୍ୟ କେବଳ ଶବ୍ଦଭଣ୍ଡାରରେ ନୁହେଁ, ବରଂ ଉଚ୍ଚାରଣ ଓ ଭାଷାଗତ ଗଠନର କେତେକ ଦିଗରେ ମଧ୍ୟ ପରିଲକ୍ଷିତ ହୁଏ ।

ପାରିବାରିକ ସଂଗଠନର ଦୃଷ୍ଟିରୁ କନ୍ଧ ସମାଜରେ ସାଧାରଣତଃ ଏକକ ପରିବାର ବ୍ୟବସ୍ଥା ପ୍ରଚଳିତ । ବିବାହ ପରେ ପୁଅମାନେ ନିଜ ପିତାମାତାଙ୍କଠାରୁ ପୃଥକ ଭାବରେ ସ୍ୱତନ୍ତ୍ର ଗୃହସ୍ଥ ଜୀବନ ଆରମ୍ଭ କରିବାକୁ ସାମାଜିକ ଭାବେ ଆଶା କରାଯାଏ । ସାଧାରଣତଃ ସେମାନେ ନିଜସ୍ୱ ଘର ପ୍ରତିଷ୍ଠା କରି ପୃଥକ ପରିବାର ଚଳାଇଥାନ୍ତି । ତେବେ ପୈତୃକ ଘରେ ରହିବାର ଅଧିକାର ପରମ୍ପରାନୁସାରେ ସବୁଠାରୁ ସାନ ପୁଅଙ୍କ ପାଇଁ ସଂରକ୍ଷିତ ରହିଥାଏ । କନ୍ଧ ସମାଜରେ ଏହି ପ୍ରଥା ଆଜି ମଧ୍ୟ ବ୍ୟାପକ ଭାବେ ପ୍ରଚଳିତ ଅଛି । କନ୍ଧ ପରିବାର ମଧ୍ୟରେ ବୟୋଜ୍ୟେଷ୍ଠ ପିତାମାତାଙ୍କର ସ୍ଥାନ ଅତ୍ୟନ୍ତ ସମ୍ମାନଜନକ । ସେମାନଙ୍କୁ ଯଥେଷ୍ଟ ମର୍ଯ୍ୟାଦା ଓ ଶ୍ରଦ୍ଧା ପ୍ରଦର୍ଶନ କରାଯାଏ ଏବଂ ପାରିବାରିକ ନିଷ୍ପତ୍ତିରେ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ ।

କନ୍ଧ ମାନଙ୍କର ପାରିବାରିକ ବ୍ୟବସ୍ଥା ମୂଳତଃ ପିତୃସତ୍ତାତ୍ମକ ପ୍ରକୃତିର । ପରିବାରର ସମସ୍ତ ପ୍ରମୁଖ କାର୍ଯ୍ୟ ଓ ନିଷ୍ପତ୍ତିରେ ପିତାଙ୍କର ସର୍ବୋଚ୍ଚ କର୍ତ୍ତୃତ୍ୱ ରହିଥାଏ । ସେ ପରିବାରର ମୁଖ୍ୟ ଏବଂ ନେତୃତ୍ୱଦାତା ଭାବେ ପରିଗଣିତ ହୁଅନ୍ତି । ପିତାଙ୍କ ପରେ ମାତା ପରିବାରରେ ଦ୍ୱିତୀୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାନ୍ତି ଏବଂ ପାରିବାରିକ ଜୀବନର ବିଭିନ୍ନ ଦାୟିତ୍ୱ ପରିଚାଳନାରେ ସେ ଏକ କେନ୍ଦ୍ରୀୟ ଭୂମିକା ନିର୍ବାହ କରନ୍ତି । ଏହିପରି ଭାବରେ କନ୍ଧ ସମାଜର ପରିବାର ପ୍ରଥା ଏକପଟେ ସ୍ୱତନ୍ତ୍ର ପରିବାର ଗଠନକୁ ପ୍ରୋତ୍ସାହନ ଦେଉଥିବାବେଳେ ଅନ୍ୟପଟେ ବୟସ୍କ ସଦସ୍ୟମାନଙ୍କ ପ୍ରତି ସମ୍ମାନ ଓ ପିତୃକେନ୍ଦ୍ରିକ ପାରିବାରିକ ଶୃଙ୍ଖଳାକୁ ଦୃଢ଼ ଭାବରେ ବଜାୟ ରଖି ପାରିଛି । କନ୍ଧ ସମାଜରେ ଆର୍ଥିକ ଓ ପାରିବାରିକ କାର୍ଯ୍ୟକଳାପରେ ପୁରୁଷ ଏବଂ ନାରୀ ଉଭୟଙ୍କର ସମାନ ଭାଗିଦାରି ରହିଥାଏ । ତଥାପି, ପାରମ୍ପରିକ ଭାବରେ କାର୍ଯ୍ୟ ବିଭାଜନର ଏକ ସ୍ପଷ୍ଟ ବ୍ୟବସ୍ଥା ଦେଖିବାକୁ ମିଳେ । ସାଧାରଣତଃ ପୁରୁଷମାନେ ବାହ୍ୟ ଏବଂ ଅଧିକ ଶାରୀରିକ ପରିଶ୍ରମ ଆବଶ୍ୟକ କରୁଥିବା କାର୍ଯ୍ୟଗୁଡ଼ିକର ଦାୟିତ୍ୱ ବହନ କରନ୍ତି । ଚାଷବାସ କରିବା, ଜଙ୍ଗଲ ସଫା କରିବା, କୃଷି ଜମି ପ୍ରସ୍ତୁତ କରିବା, ହଳ ଚଳାଇବା, ଘର ନିର୍ମାଣ କିମ୍ବା ମରାମତି କରିବା, ଛାତ ଛାଉଣି କରିବା, ଆର୍ଥିକ ହିସାବ-କିତାବ ରଖିବା ଏବଂ ପରିବାରର ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ଭଳି କାର୍ଯ୍ୟ ସେମାନଙ୍କ ଉପରେ ନ୍ୟସ୍ତ ଥାଏ ।

ଅନ୍ୟପକ୍ଷରେ, ନାରୀମାନେ ଘରୋଇ ଜୀବନର ଅଧିକାଂଶ ନିୟମିତ ଓ ଅତ୍ୟାବଶ୍ୟକ ଦାୟିତ୍ୱ ବହନ କରନ୍ତି । ରୋଷେଇ କରିବା, ପାଣି ଓ ଜାଳେଣି କାଠ ସଂଗ୍ରହ କରିବା, ପରିବାର ସଦସ୍ୟଙ୍କୁ ଖାଦ୍ୟ ପରିବେଷଣ କରିବା, ବାସନପତ୍ର ଓ ପୋଷାକ ଧୋଇବା, ଅଗଣା ଓ ଗୁହାଳ ସଫା ରଖିବା, ମାଟିରେ ଘରର ଚଟାଣ ଓ କାନ୍ଥ ଲିପିବା, ଧାନ ଚାରା ରୋପଣ କରିବା, ପାକଳ ଫସଲ ଅମଳ କରିବା ଏବଂ ଅନ୍ୟାନ୍ୟ ଅସଂଖ୍ୟ ଘରୋଇ କାର୍ଯ୍ୟ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶ ଅଟେ। ଏହା ବ୍ୟତୀତ ସନ୍ତାନ ମାନଙ୍କର ଲାଳନ-ପାଳନ ଏବଂ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କର ଦେଖାଶୁଣା କରିବାର ଗୁରୁଦାୟିତ୍ୱ ମଧ୍ୟ ମୁଖ୍ୟତଃ ନାରୀମାନଙ୍କ ଉପରେ ନିର୍ଭର କରେ। ଏହି କାରଣରୁ କନ୍ଧ ସମାଜରେ ପୁଅ ପାଇଁ କନ୍ୟା ଚୟନ କରିବା ସମୟରେ ପିତାମାତା କେବଳ ରୂପ କିମ୍ବା ଶାରୀରିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇନଥାନ୍ତି; ବରଂ ପରିଶ୍ରମୀ, କର୍ମଠ, ଘରୋଇ କାର୍ଯ୍ୟରେ ଦକ୍ଷ ଏବଂ ପାରିବାରିକ ଦାୟିତ୍ୱ ନିର୍ବାହରେ ସକ୍ଷମ ଯୁବତୀଙ୍କୁ ଅଧିକ ପସନ୍ଦ କରନ୍ତି । କନ୍ଧ ସମାଜର ପାରିବାରିକ ମୂଲ୍ୟବୋଧରେ ଜଣେ ନାରୀଙ୍କର କର୍ମନିଷ୍ଠା ଓ ଦାୟିତ୍ୱବୋଧକୁ ତାଙ୍କ ସୌନ୍ଦର୍ଯ୍ୟ ପରି ଗୁରୁତ୍ୱପୂର୍ଣ୍ଣ ଗୁଣ ଭାବେ ବିବେଚନା କରାଯାଏ

ପାରମ୍ପରିକ ଭାବରେ ପ୍ରତ୍ୟେକ କନ୍ଧ ଗ୍ରାମରେ ଅବିବାହିତ ଯୁବକ ଓ ଯୁବତୀମାନଙ୍କ ପାଇଁ ପୃଥକ୍ ଯୁବାବାସ ବ୍ୟବସ୍ଥା ରହିଥାଏ । ଅବିବାହିତ ଯୁବକମାନଙ୍କର ବାସସ୍ଥାନକୁ ‘ଧାଙ୍ଗରା ବସା’ ଏବଂ ଅବିବାହିତ ଯୁବତୀମାନଙ୍କର ବାସସ୍ଥାନକୁ ‘ଧାଙ୍ଗିରି ବସା’ ବୋଲି କୁହାଯାଏ । ରାତ୍ରି ସମୟରେ ଯୁବକମାନେ ଧାଙ୍ଗରା ବାସାରେ ଏବଂ ଯୁବତୀମାନେ ଧାଙ୍ଗିରି ବାସାରେ ରାତ୍ରିଯାପନ କରୁଥିଲେ । ରାତିରେ ପଡ଼ୋଶୀ ଗ୍ରାମର ଯୁବକମାନେ ଛୋଟଛୋଟ ଉପହାର ନେଇ ଧାଙ୍ଗିରି ବାସାକୁ ଆସୁଥିଲେ । ପ୍ରତିବଦଳରେ ଯୁବତୀମାନେ ସେମାନଙ୍କୁ ଦେଶୀ ଚୁଟା, ଖାଦ୍ୟ ଓ ସ୍ଥାନୀୟ ପାନୀୟ ଦେଇ ସ୍ୱାଗତ କରୁଥିଲେ। ଏହାପରେ ଉଭୟ ଦଳ ମିଳି ଗୀତ ଓ ନୃତ୍ୟର ଆସରରେ ଯୋଗ ଦେଉଥିଲେ । ଯୁବତୀମାନେ ନୃତ୍ୟ ପରିବେଷଣ କରୁଥିବାବେଳେ ଯୁବକମାନେ ବାଦ୍ୟଯନ୍ତ୍ର ବଜାଇବା ସହ ଗୀତରେ ସହଯୋଗ କରୁଥିଲେ।

ତେବେ ଏହି ପରମ୍ପରାର ଏକ କଠୋର ସାମାଜିକ ନିୟମ ଥିଲା । କୌଣସି ଯୁବତୀ ନିଜ ଗ୍ରାମର ଯୁବକଙ୍କ ସହ ନୃତ୍ୟ କରିପାରୁନଥିଲେ, କାରଣ ସାମାଜିକ ଦୃଷ୍ଟିରୁ ସେମାନଙ୍କୁ ଭାଇ କିମ୍ବା କାକା ପରି ନିକଟ ସମ୍ପର୍କୀୟ ଭାବରେ ଗଣ୍ୟ କରାଯାଉଥିଲା । ଆଧୁନିକ ସଭ୍ୟତାର କ୍ରମବର୍ଦ୍ଧମାନ ପ୍ରଭାବ ଫଳରେ ଏହି ଅନନ୍ୟ ସାମାଜିକ ଅନୁଷ୍ଠାନ ଆଜି ପ୍ରାୟ ବିଲୁପ୍ତ ହୋଇଯାଇଛି । କେବଳ କେତେକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଏହାର କିଛି ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳେ।
ଧାଙ୍ଗିରି ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନଥିଲା; ଏହା କନ୍ଧ ଯୁବକ-ଯୁବତୀଙ୍କ ପାଇଁ ଜୀବନସାଥୀ ଚୟନର ଏକ ସାମାଜିକ ମଞ୍ଚ ମଧ୍ୟ ଥିଲା । ଅନେକ ସମୟରେ ଏହି ନୃତ୍ୟ ଓ ପରସ୍ପର ସମ୍ପର୍କ ମାଧ୍ୟମରେ ଜଣେ ଯୁବକ ନିଜର ଭବିଷ୍ୟତ ପତ୍ନୀଙ୍କୁ ପସନ୍ଦ କରୁଥିଲେ । ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନୁରାଗର ସୂଚନା ସାଙ୍ଗସାଥୀଙ୍କ ମାଧ୍ୟମରେ ଯୁବକ ଯୁବତୀ ଙ୍କ ପରିବାର ପାଖରେ ପହଞ୍ଚୁଥିଲା ।
ଯୁବକଙ୍କ ପସନ୍ଦ ବିଷୟରେ ଜାଣିବା ପରେ ତାଙ୍କ ପିତା ଗ୍ରାମର ଦିଶାରୀଙ୍କୁ ବିବାହ ଆଲୋଚନା ଆରମ୍ଭ କରିବା ପାଇଁ ପଠାଉଥିଲେ । କେତେକ ଅଞ୍ଚଳରେ ଡୋମ ସମ୍ପ୍ରଦାୟର ବ୍ୟକ୍ତିମାନେ ମଧ୍ୟ ମଧ୍ୟସ୍ଥ ଭାବରେ କନ୍ୟା ଘରକୁ ଯାଉଥିଲେ । କନ୍ୟାର ପିତା ସମ୍ମତି ପ୍ରକାଶ କଲେ କିଛି ଦିନ ପରେ ବରର ପିତା ନିଜ ସମ୍ପର୍କୀୟମାନଙ୍କ ସହ କନ୍ୟା ଘରକୁ ଯାଇ ଔପଚାରିକ ଭାବରେ ବିବାହ ପ୍ରସ୍ତାବ ଉପସ୍ଥାପନ କରୁଥିଲେ । ଏହି ଔପଚାରିକ ଯାତ୍ରା ପୂର୍ବରୁ ବର ଘରେ ଏକ ଶକୁନ ପରୀକ୍ଷା କରାଯାଉଥିଲା । ଉଦ୍ଦେଶ୍ୟ ଥିଲା ପ୍ରସ୍ତାବିତ କନ୍ୟା ପରିବାର ପାଇଁ ଶୁଭ ନା ଅଶୁଭ ତାହା ଜାଣିବା । ଏହି ପରୀକ୍ଷାରେ ଏକ ନୂଆ ମାଟି ହାଣ୍ଡିରେ ମୁଠାଏ ଚାଉଳ ରନ୍ଧାଯାଉଥିଲା । ଯଦି ଫୁଟୁଥିବା ଭାତ ହାଣ୍ଡିରୁ ଉଛୁଳି ତଳେ ପଡ଼ୁଥିଲା, ତେବେ ସେହି କନ୍ୟାକୁ ଅଶୁଭ ବୋଲି ବିବେଚନା କରାଯାଇ ବିବାହ ଆଲୋଚନା ତତକ୍ଷଣାତ୍ ବନ୍ଦ କରାଯାଉଥିଲା ।

କନ୍ୟା ପିତାଙ୍କ ସମ୍ମତି ମିଳିବା ପରେ ବରପଣ କିମ୍ବା କନ୍ୟା ମୂଲ୍ୟ ସମ୍ପର୍କରେ ଆଲୋଚନା ଆରମ୍ଭ ହେଉଥିଲା । ସାଧାରଣତଃ ଏହି ପ୍ରଦାନ ନଗଦ ଅର୍ଥ, ଅଳଙ୍କାର ଏବଂ ମଇଁଷି ଆଦିରେ ହୋଇଥାଏ। ପ୍ରଚଳିତ ରୀତି ଅନୁଯାୟୀ ୧୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଅର୍ଥ ଏବଂ ଏକ ଯୋଡ଼ାରୁ ଦଶ ଯୋଡ଼ା ମଇଁଷି କନ୍ୟାମୂଲ୍ୟ ଭାବେ ନିର୍ଦ୍ଧାରିତ ହେଉଥିଲା । ଯଦି ବରପକ୍ଷ ଏହି ଦାୟିତ୍ୱ ପୂରଣ କରିବାରେ ଅସମର୍ଥ ହେଉଥିଲେ, ତେବେ ଯୁବକଙ୍କୁ ଭବିଷ୍ୟତ ରେ ଶ୍ୱଶୁର ଘରେ କାମ କରି ସେହି ଋଣ ପରିଶୋଧ କରିବାକୁ ପଡ଼ୁଥିଲା । ଏହା ପରେ ବିବାହର ତାରିଖ ସ୍ଥିର କରାଯାଉଥିଲା ।

କନ୍ଧ ସମାଜରେ ମାର୍ଗଶୀର, ପୌଷ, ମାଘ ଏବଂ ବୈଶାଖ ମାସକୁ ବିବାହ ପାଇଁ ବିଶେଷ ଶୁଭ ବୋଲି ବିବେଚନା କରାଯାଏ । ତେଣୁ କନ୍ୟାମୂଲ୍ୟ ନିର୍ଦ୍ଧାରଣ ପରେ ଏହି ମାସମାନଙ୍କ ମଧ୍ୟରୁ ଉପଯୁକ୍ତ ଦିନ ବାଛି ବିବାହ ସମ୍ପନ୍ନ କରାଯାଏ। ନିର୍ଦ୍ଧାରିତ ଦିନରେ ବର ନିଜ ଆତ୍ମୀୟସ୍ୱଜନ ଓ ସାଙ୍ଗସାଥୀଙ୍କ ସହ ବାଦ୍ୟବାଜନା ଏବଂ ଉତ୍ସବମୁଖର ପରିବେଶରେ କନ୍ୟା ଘରକୁ ଯାଆନ୍ତି । କାରଣ ମୂଳ ବିବାହ ଅନୁଷ୍ଠାନ ସାଧାରଣତଃ ବର ଘରେ ସମ୍ପନ୍ନ ହୋଇଥାଏ । କନ୍ୟାର ପିତା ଆଗନ୍ତୁକମାନଙ୍କୁ ଭୋଜନ ଓ ପାନୀୟ ଦେଇ ଆତିଥ୍ୟ ପ୍ରଦାନ କରନ୍ତି। ଏହାପରେ ବରପକ୍ଷ କନ୍ୟାଙ୍କୁ ସାଙ୍ଗରେ ନେଇ ଫେରିବା ଆରମ୍ଭ କରନ୍ତି। ଏହି ସମୟରେ କନ୍ୟାର ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀମାନେ ମଧ୍ୟ ସାଥିରେ ଆସନ୍ତି । ଫେରିବା ବାଟରେ ଦୁଇ ପକ୍ଷ ମଧ୍ୟରେ ଏକ ପ୍ରତୀକାତ୍ମକ ଛଳନା ଯୁଦ୍ଧ ହୁଏ, ଯେଉଁଥିରେ କନ୍ୟାପକ୍ଷ ନାଟକୀୟ ଭାବରେ କନ୍ୟାଙ୍କୁ ଫେରାଇ ନେବାକୁ ଚେଷ୍ଟା କରନ୍ତି । ଶେଷରେ ବରପକ୍ଷ ଏହି ହାସ୍ୟରସାତ୍ମକ ପ୍ରତିଯୋଗିତାରେ ବିଜୟୀ ହୁଅନ୍ତି ଏବଂ ନାଚଗୀତ ଓ ବାଦ୍ୟଧ୍ୱନି ମଧ୍ୟରେ ସମସ୍ତେ ବରଙ୍କ ଗ୍ରାମ ଅଭିମୁଖେ ଅଗ୍ରସର ହୁଅନ୍ତି।

ପିତୃଗୃହ ଛାଡ଼ିବା ସମୟରେ କନ୍ୟା ଅତ୍ୟନ୍ତ ଭାବବିହ୍ୱଳ ହୋଇ ନିଜ ପିତା, ମାତା, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କୁ ଆଲିଙ୍ଗନ କରି କାନ୍ଦି କାନ୍ଦି ବିଦାୟ ନେଇଥାଏ । ଏହି ବିଦାୟ ବେଳେ କନ୍ୟାର ପିତା ନିଜ ବଂଶପରମ୍ପରାର ରୀତି ଅନୁଯାୟୀ କନ୍ୟାର ଶାଢ଼ୀର ଏକ ପ୍ରାନ୍ତରେ ଫୁଲ, ଫଳ କିମ୍ବା ଶସ୍ୟ ବାନ୍ଧି ଦିଅନ୍ତି । ଏହି ପ୍ରଥାକୁ ସ୍ଥାନୀୟ ଭାଷାରେ ‘କାନି ଚିନା’ ବୋଲି କୁହାଯାଏ। କନ୍ଧ ସମାଜରେ ଏହା ଏକ ବାଧ୍ୟତାମୂଳକ ସାମାଜିକ ରୀତି। ଯଦି କୌଣସି ପିତା ଏହି ପ୍ରଥା ପାଳନ କରିନଥାନ୍ତି, ତେବେ ସମାଜ ପକ୍ଷରୁ ତାଙ୍କୁ ଦଣ୍ଡିତ କରାଯାଏ।
ବିବାହ ପରେ କନ୍ୟାଙ୍କୁ ବରଙ୍କ ଘରକୁ ନିଆଯାଏ, ଯେଉଁଠାରେ ଗ୍ରାମ ପୁରୋହିତ ବା ‘ଜାନି’ ବିଧିବଦ୍ଧ ଭାବରେ ବିବାହ ସମ୍ପନ୍ନ କରନ୍ତି। ଏହି ଅବସରରେ ବରଙ୍କ ପିତା କନ୍ୟାପକ୍ଷ ପାଇଁ ଭୋଜି ଓ ପାନୀୟର ବ୍ୟବସ୍ଥା କରନ୍ତି । ଭୋଜି ଶେଷ ହେବା ପରେ ଅଧିକାଂଶ ଅତିଥି ନିଜ ଗ୍ରାମକୁ ଫେରିଯାଆନ୍ତି । ତେବେ କନ୍ୟାର ଦୁଇ କିମ୍ବା ତିନିଜଣ ଅନ୍ତରଙ୍ଗ ସାଙ୍ଗ କିଛି ଦିନ ସେଠାରେ ରହି ନବବଧୂଙ୍କୁ ନୂତନ ପରିବେଶ ସହ ଖାପ ଖୁଆଇବାରେ ସହଯୋଗ କରନ୍ତି। ପାରମ୍ପରିକ ଆଲୋଚନାଭିତ୍ତିକ ବିବାହ ବ୍ୟତୀତ କନ୍ଧ ସମାଜରେ ଅନ୍ୟାନ୍ୟ ବିବାହ ପ୍ରଥା ମଧ୍ୟ ପ୍ରଚଳିତ ରହିଛି । ବଳପୂର୍ବକ ହରଣ କରି ବିବାହ, ପଳାଇ ବିବାହ, ପ୍ରେମିକଙ୍କ ଘରକୁ ପ୍ରବେଶ କରି ସମ୍ପର୍କ ଘୋଷଣା କରିବା, ବିଧବା ବିବାହ ଇତ୍ୟାଦି ପ୍ରଥା ମଧ୍ୟ କନ୍ଧ ସମାଜରେ ସାମାଜିକ ସ୍ୱୀକୃତି ଲାଭ କରିଆସିଛି ।ଗର୍ଭାବସ୍ଥା ସମୟରେ ଜଣେ କନ୍ଧ ମହିଳାଙ୍କୁ ଅନେକ ପାରମ୍ପରିକ ନିଷେଧାଜ୍ଞା ପାଳନ କରିବାକୁ ହୁଏ । ପ୍ରବାହମାନ ଜଳଧାରା ଅତିକ୍ରମ କରିବା, ରାତିର ଅନ୍ଧକାରରେ ବାହାରକୁ ଯିବା କିମ୍ବା ଗ୍ରାମର ପବିତ୍ର ପୂଜାସ୍ଥଳୀକୁ ଯିବା ତାଙ୍କ ପାଇଁ ନିଷିଦ୍ଧ ଥାଏ । ଏହି ସମୟରେ କିଛି ଖାଦ୍ୟ ସମ୍ପର୍କିତ ନିୟମ ମଧ୍ୟ ମାନିବାକୁ ପଡ଼େ । ତଥାପି ସନ୍ତାନ ଜନ୍ମର ସମୟ ଆସିବା ପର୍ଯ୍ୟନ୍ତ ସେ ନିଜର ସମସ୍ତ ସାଧାରଣ ଘରୋଇ ଦାୟିତ୍ୱ ପାଳନ କରି ଚାଲିଥାଏ । ପ୍ରସବ ବେଦନା ଆରମ୍ଭ ହେବାମାତ୍ରେ ଗର୍ଭବତୀ ମହିଳାଙ୍କୁ ଘରର ପଛପଟେ ଥିବା ଏକ ପୃଥକ କୋଠରୀକୁ ନିଆଯାଏ, ଯେଉଁଠାରେ ସନ୍ତାନ ଜନ୍ମ ହୋଇଥାଏ। ପ୍ରସବ କାର୍ଯ୍ୟରେ ଗ୍ରାମର ଜଣେ ଅଭିଜ୍ଞ ବୟସ୍କା ମହିଳା, ଯାହାଙ୍କୁ ସ୍ଥାନୀୟ ଭାଷାରେ ‘ସୁତାରେନ’ ବୋଲି କୁହାଯାଏ, ସହାୟତା କରନ୍ତି । ଶିଶୁ ଜନ୍ମ ପରେ ନାଭିନାଳକୁ ସାଧାରଣତଃ ତୀର, ମାଟିପାତ୍ରର ଖଣ୍ଡ କିମ୍ବା ‘କ୍ନାନ୍ଦ୍ରି’ ନାମକ ଏକ ସ୍ୱତନ୍ତ୍ର ଛୁରୀ ଦ୍ୱାରା କାଟାଯାଏ । ଶିଶୁ ଜନ୍ମ ହେବା ପରେ ପରିବାରର ଜଣେ ବୟସ୍କ ପୁରୁଷ ଘରର ସାମ୍ନା ଛାତ ଉପରେ ନିର୍ଦ୍ଦିଷ୍ଟ ବସ୍ତୁ ଦ୍ୱାରା ଆଘାତ କରି ନବଜାତ ଶିଶୁର ଲିଙ୍ଗ ବିଷୟରେ ଗ୍ରାମବାସୀଙ୍କୁ ସଙ୍କେତ ଦିଅନ୍ତି । ପୁଅ ଜନ୍ମ ହେଲେ କୁରାଢ଼ି କିମ୍ବା ଯୁଆଳି ଦ୍ୱାରା ଏବଂ ଝିଅ ଜନ୍ମ ହେଲେ ଧାନ କୁଟିବା ମୁଗୁର ଦ୍ୱାରା ଏହି ସଙ୍କେତ ପ୍ରଦାନ କରାଯାଏ। ଏହି ଧ୍ୱନି ଶୁଣି ଗ୍ରାମବାସୀ ଜାଣିପାରନ୍ତି ଯେ ପୁଅ ନା କନ୍ୟା ଜନ୍ମ ହୋଇଛି। ନାଭିନାଳ ଏବଂ ଜରାୟୁର ଅବଶିଷ୍ଟ ଅଂଶକୁ ଶିଶୁର ପିତା କିମ୍ବା ମାତା ଘରର ପଛପଟେ ଛାତ ତଳେ ପୋତି ଦିଅନ୍ତି । ସେହି ସ୍ଥାନ ନିକଟରେ ଆଉ ଏକ ଗର୍ତ୍ତ ଖୋଳାଯାଏ, ଯେଉଁଠାରେ ପରବର୍ତ୍ତୀ ଏକୋଇଶ ଦିନ ପର୍ଯ୍ୟନ୍ତ ଶିଶୁକୁ ସ୍ନାନ କରାଯାଏ । ପ୍ରସବ ପରବର୍ତ୍ତୀ ସମୟରେ ମାତାଙ୍କ ଖାଦ୍ୟପାନୀୟ ଉପରେ ମଧ୍ୟ କିଛି ନିୟନ୍ତ୍ରଣ ଆରୋପ କରାଯାଏ । ସନ୍ତାନ ଜନ୍ମ ପରେ ପାଞ୍ଚ କିମ୍ବା ସାତ ଦିନ ପର୍ଯ୍ୟନ୍ତ ପରିବାରଟି ସାମାଜିକ ଭାବେ ଅଲଗା ରହିଥାଏ । ନିର୍ଦ୍ଦିଷ୍ଟ ଶୁଦ୍ଧିକରଣ ଦିନରେ ପରିବାରର ଜଣେ ବୟସ୍କ ସଦସ୍ୟ କିମ୍ବା ଶିଶୁର ପିତା ଦେବତା ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଦ୍ୟ ଅର୍ପଣ କରିବା ସହ ଏକ କୁକୁଡ଼ା ବଳି ଦେଇ ଗୃହଦେବତାଙ୍କ ପୂଜା କରନ୍ତି । ଏହା ପରେ ପରିବାରକୁ ଶୁଦ୍ଧ ବୋଲି ଗଣ୍ୟ କରାଯାଏ ଏବଂ ସେମାନେ ପୁନର୍ବାର ସାଧାରଣ ସାମାଜିକ ଜୀବନକୁ ଫେରିଆସନ୍ତି। ପ୍ରସବ ପରେ ମାତା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ପ୍ରସୂତି କକ୍ଷରେ ଏକାନ୍ତବାସ କରନ୍ତି । ଏହି ସମୟରେ ତାଙ୍କୁ କେହି ସ୍ପର୍ଶ କରିପାରନ୍ତି ନାହିଁ । ସେ ଘରର ପଛପଟ ଦେଇ ନିଜର ଦୈନନ୍ଦିନ କାମ କରନ୍ତି ଏବଂ ଘରର ସାମ୍ନା ରାସ୍ତାକୁ ଯିବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଥାଏ। ବିଶ୍ୱାସ କରାଯାଏ ଯେ ଏହି ନିୟମ ଭଙ୍ଗ କଲେ ଧରଣୀମାତା କ୍ରୋଧିତ ହୁଅନ୍ତି ଏବଂ ତାହା ଗ୍ରାମ ପାଇଁ ଅମଙ୍ଗଳ ଆଣିପାରେ । ସେପରି ପରିସ୍ଥିତିରେ ଏକ ବ୍ୟୟବହୁଳ ପ୍ରାୟଶ୍ଚିତ୍ତ ପୂଜାର ଆୟୋଜନ କରିବାକୁ ପଡ଼େ । ଶିଶୁର ଜନ୍ମର ଏକ ମାସ ପରେ ନାମକରଣ ସଂସ୍କାର ପାଳନ କରାଯାଏ । ଏହି ଦିନ ଶିଶୁର ମୁଣ୍ଡ ମୁଣ୍ଡନ କରାଯାଏ ଏବଂ ତେଲ ଓ ହଳଦୀ ଲଗାଇ ସ୍ନାନ କରାଯାଏ। ନୂଆ ଗାମୁଛାରେ ଶିଶୁକୁ ଗୁଡ଼ାଇ ପରିବାରର ଜଣେ ବୟସ୍କ ସଦସ୍ୟ ପ୍ରଥମ ଥର ପାଇଁ ତାକୁ ଘର ବାହାରକୁ ନେଇଥାନ୍ତି । ଗ୍ରାମର ପୁରୋହିତ କିମ୍ବା ଜାନି ପାରମ୍ପରିକ ପଦ୍ଧତିରେ ଶୁଭାଶୁଭ ବିଚାର କରି ଶିଶୁର ନାମକରଣ କରନ୍ତି । ଅଧିକାଂଶ କ୍ଷେତ୍ରରେ ଏହି ନାମ ପୂର୍ବପୁରୁଷଙ୍କ ନାମ ଅନୁସାରେ ରଖାଯାଏ। ଶେଷରେ ପରିବାର ପକ୍ଷରୁ ଭାତ, ଛେଳି ମାଂସ ତରକାରୀ ଏବଂ ମଦ୍ୟର ସାମୂହିକ ଭୋଜିର ଆୟୋଜନ କରାଯାଏ।

ମୃତ୍ୟୁ ଘଟିଲେ କନ୍ଧମାନେ ସାଧାରଣତଃ ଶବଦାହ କରନ୍ତି । କିନ୍ତୁ ଶିଶୁ, ଗର୍ଭବତୀ ମହିଳା ଏବଂ ବସନ୍ତ ରୋଗରେ ମୃତ ବ୍ୟକ୍ତିଙ୍କ ଶବକୁ ଦାହ ନ କରି ପୋତି ଦିଆଯାଏ । ଶବଦାହ କିମ୍ବା ସମାଧି ପରେ ସମସ୍ତେ ନିକଟବର୍ତ୍ତୀ ନଦୀ କିମ୍ବା ଝରଣାକୁ ଯାଇ ସ୍ନାନ କରନ୍ତି। ସେଠାରେ ଜାନି ଏକ କୁକୁଡ଼ା ଛୁଆର ରକ୍ତ ସହ ତେଲ ମିଶାଇ ପକ୍ଷୀର ପରରେ ପ୍ରତ୍ୟେକ ଶୋକାକୁଳ ବ୍ୟକ୍ତିଙ୍କ ହାତରେ ଲଗାନ୍ତି । ଏହା ପରେ ସମସ୍ତେ ଗ୍ରାମକୁ ଫେରି ଆସନ୍ତି । ମୃତ୍ୟୁ ପରେ ଏକ ମାସ କିମ୍ବା ଏକ ବର୍ଷ ଅତିବାହିତ ହେଲେ କନ୍ଧ ସମାଜରେ ‘ଦୋସା’ ନାମକ ଏକ ସ୍ମୃତି-ସଂସ୍କାର ପାଳନ କରାଯାଏ । ଏହି ଅବସରରେ ମୃତ ବ୍ୟକ୍ତିଙ୍କ ଆତ୍ମୀୟ, ବନ୍ଧୁବାନ୍ଧବ ଏବଂ ସମ୍ପ୍ରଦାୟର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଏ । ପରିବାରର ମୁଖ୍ୟ ବ୍ୟକ୍ତି ମାଂସ ଏବଂ ମଦ୍ୟ ସମ୍ବଳିତ ଏକ ବୃହତ୍ ଭୋଜିର ଆୟୋଜନ କରନ୍ତି । ଏହି ଅନୁଷ୍ଠାନ ମୃତ ବ୍ୟକ୍ତିଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣର ଏକ ସାମାଜିକ ଓ ଧାର୍ମିକ ମାଧ୍ୟମ ଭାବରେ ପରିଗଣିତ। କନ୍ଧମାନଙ୍କର ଧାର୍ମିକ ଜୀବନରେ ଧରଣୀ ମାତା ବା ପୃଥିବୀ ଦେବୀଙ୍କ ସ୍ଥାନ ସର୍ବୋଚ୍ଚ । ସେମାନେ ଧରଣୀ ମାତାଙ୍କୁ ଜୀବନ, ଜୀବିକା ଓ ପ୍ରକୃତିର ମୂଳ ଶକ୍ତି ଭାବରେ ମାନ୍ୟ କରନ୍ତି । ଧରଣୀଙ୍କ ସହିତ ଗ୍ରାମଦେବତା, ଇଷ୍ଟଦେବତା, ବର୍ଷାର ଦେବତା ଭୀମଦେବତା ଏବଂ ଅନ୍ୟାନ୍ୟ ଅଲୌକିକ ଶକ୍ତିଙ୍କୁ ମଧ୍ୟ ସେମାନେ ପୂଜା କରନ୍ତି । କଳାହାଣ୍ଡିର କନ୍ଧମାନଙ୍କ ମଧ୍ୟରେ ଖଣ୍ଡୁଆଲ, ସାତ ଭଉଣୀ, କନ୍ଦୁଲ ବୋଜା, ଜିନା ଓ ଡୁମା ପ୍ରମୁଖ ଦେବା ଦେବୀଙ୍କ ଉପାସନା ମଧ୍ୟ ପ୍ରଚଳିତ ରହିଛି। ସେମାନଙ୍କ ବିଶ୍ୱାସ ଅନୁଯାୟୀ ଡୁମା ହେଉଛନ୍ତି ପୂର୍ବପୁରୁଷମାନଙ୍କ ଆତ୍ମା। ମୃତ୍ୟୁ ପରେ ମଧ୍ୟ ପୂର୍ବଜମାନଙ୍କ ଆତ୍ମା ପରିବାର ସହ ରହିଥାଏ ବୋଲି କନ୍ଧମାନେ ମନେ କରନ୍ତି। ଏହା ବ୍ୟତୀତ ପାହାଡ଼, ଜଙ୍ଗଲ, ନଦୀ, ଝରଣା ଓ ଅନ୍ୟାନ୍ୟ ପ୍ରାକୃତିକ ଉପାଦାନ ପ୍ରତି ମଧ୍ୟ ସେମାନଙ୍କର ଗଭୀର ଆସ୍ଥା ଓ ଶ୍ରଦ୍ଧା ରହିଛି।

କଳାହାଣ୍ଡିର କନ୍ଧମାନେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀ ପାଳନ କରନ୍ତି। ସେଗୁଡ଼ିକ ମଧ୍ୟରେ ପୁଷ ପରବ, ଚୈତ ପରବ, ନୂଆଖାଇ, ଦଶହରା, ମାଣ୍ଡିଆରାଣୀ ପରବ, ବଳିଯାତ୍ରା, ଭୀମାଭିଆ ଓ ଟାକି (ଟୋକି) ପରବ ବିଶେଷ ଉଲ୍ଲେଖଯୋଗ୍ୟ । ଏହି ପର୍ବଗୁଡ଼ିକ ମଧ୍ୟରେ ଟୋକି ପରବ ଏକ ସ୍ୱତନ୍ତ୍ର ଓ ଐତିହାସିକ ଗୁରୁତ୍ୱ ବହନ କରେ। ଏହା ପ୍ରତିବର୍ଷ ପାଳିତ ହୁଏ ନାହିଁ। ଐତିହାସିକ ବିବରଣୀରୁ ଜଣାଯାଏ ଯେ ଅତୀତରେ ଏହି ପର୍ବରେ ମାନବ ବଳି ପ୍ରଦାନ କରାଯାଉଥିଲା; କିନ୍ତୁ ଆଧୁନିକ ସମୟରେ ତାହାର ସ୍ଥାନରେ ମେଣ୍ଢା ବଳି ଦିଆଯାଏ । ଆଷାଢ଼ ମାସରେ ସେମାନେ ଲକ୍ଷ୍ମୀ କିମ୍ବା ଟାକୁ ପରବ, ଶ୍ରାବଣ ପୂର୍ଣ୍ଣିମାରେ ନଙ୍ଗଳ ଧୁଆ ପରବ ଏବଂ ଭାଦ୍ରବ ମାସରେ ନାଗୁଣୀ ବା ଭୋଦୋ ପରବ ପାଳନ କରନ୍ତି । ଚୈତ ପରବ ଓ ଟୋକି ପରବ ମଧ୍ୟ ସେମାନଙ୍କ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଟୋକି ପରବ ସାତ ଦିନ ଧରି ପାଳିତ ହୁଏ। ପୌଷ ପୂର୍ଣ୍ଣିମାର ପାଞ୍ଚ ଦିନ ପୂର୍ବରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣିମା ପରେ ଦୁଇ ଦିନରେ ସମାପ୍ତ ହୁଏ। ପ୍ରତ୍ୟେକ ଦିନର ନିଜସ୍ୱ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଟୋକୀ ପରବ ର ପ୍ରଥମ ଦିନକୁ ‘ଆକା ଟୋଲା’ କୁହାଯାଏ । ଏହି ଦିନ ମହିଳାମାନେ ଜଙ୍ଗଲକୁ ଯାଇ ଶିଆଳି ପତ୍ର ସଂଗ୍ରହ କରନ୍ତି ଏବଂ ସେଥିରୁ ପୂଜାରେ ବ୍ୟବହୃତ ପତ୍ର,ଥାଳି ପ୍ରସ୍ତୁତ କରନ୍ତି । ଏହି ଦିନଠାରୁ ସମସ୍ତ ବାହ୍ୟ କାର୍ଯ୍ୟ ବନ୍ଦ ରହେ ।
ଦ୍ୱିତୀୟ ଦିନ ‘ଉପାସି’ ଭାବେ ପରିଚିତ । ଏହି ଦିନ ଉପବାସ, ନୃତ୍ୟ, ଗୀତ ଏବଂ ଉତ୍ସବ ପାଳନ କରାଯାଏ । ଜାନିଙ୍କ ଗୁଡ଼ିଘରରେ ପବିତ୍ର କୁରାଢ଼ି ଓ ବଳି ଛୁରୀର ପୂଜା କରାଯାଏ । ତୃତୀୟ ଦିନ ‘ଦାରୁଣ୍ଡା’ ନାମରେ ପରିଚିତ । ଏହି ଦିନ ପାଖପାଖି ଦେଶ ଓ ଚକାର ଲୋକମାନେ ପବିତ୍ର କୁରାଢ଼ି ନେଇ ଉତ୍ସବରେ ଯୋଗଦେବା ପାଇଁ ଆସନ୍ତି । ଗ୍ରାମଦେବତାଙ୍କ ପୂଜା ସହ ଧରଣୀ ଖୁଣ୍ଟ ନିକଟରେ ଲୁହାର ମୟୂର ପ୍ରତୀକ ପୋତାଯାଏ। ରାତିସାରା ଗୀତ, ନୃତ୍ୟ ଓ ଉଲ୍ଲାସରେ ସମୟ କଟିଥାଏ। ଚତୁର୍ଥ ଦିନ ଜାନି ଓ ଦିଶାରୀ ବିଭିନ୍ନ ଦେବା ଦେବୀଙ୍କ ପୂଜା କରି ଗ୍ରାମବାସୀଙ୍କ ସହ ଜେନାଖାଲ କିମ୍ବା ଦେବୀଗୁଡ଼ି ଅଭିମୁଖେ ଶୋଭାଯାତ୍ରାରେ ବାହାରନ୍ତି । ଢୋଲ ଓ ମହୁରୀର ଧ୍ୱନିରେ ପରିବେଶ ମୁଖରିତ ହୋଇଉଠେ । ଏହି ଯାତ୍ରାରେ ବଳି ପାଇଁ ଉଦ୍ଦିଷ୍ଟ ମେଣ୍ଢାଟି ମଧ୍ୟ ସାମିଲ ହୁଏ। ପୂର୍ଣ୍ଣିମା ଦିନଟି ଟୋକି ପରବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଜଣେ ଅବିବାହିତା ଯୁବତୀ ପବିତ୍ର ପାତ୍ରକୁ ମୁଣ୍ଡରେ ବହନ କରି ଶୋଭାଯାତ୍ରାରେ ଯୋଗଦେଇଥାଏ । ଜାନି ଧରଣୀ ମାତାଙ୍କ ପ୍ରତୀକ ଭାବରେ ବିବେଚିତ ଲୁହା ଖଣ୍ଡର ପୂଜା କରିବା ପରେ ପବିତ୍ର ପାତ୍ରକୁ ମାଟିରେ ପୋତି ଦିଆଯାଏ। ଷଷ୍ଠ ଦିନକୁ ‘ଧାଙ୍ଗିରିଡୋଳା’ କୁହାଯାଏ । ଏହି ଦିନର ମୁଖ୍ୟ ଆକର୍ଷଣ ହେଉଛି ନୃତ୍ୟ ଓ ଆନନ୍ଦ ଉତ୍ସବ। ଧାଙ୍ଗରା ଓ ଧାଙ୍ଗିରିମାନେ ପ୍ରସିଦ୍ଧ ଢାପ ନୃତ୍ୟ ପରିବେଷଣ କରନ୍ତି । ଏହି ଦିନ ଜଣେ ଯୁବକ ନିଜ ସାଙ୍ଗସାଥୀଙ୍କ ସହଯୋଗରେ ନିଜ ପ୍ରିୟ ଧାଙ୍ଗିରିଙ୍କୁ ପ୍ରତୀକାତ୍ମକ ଭାବରେ ନେଇଯିବାର ପ୍ରଥା ମଧ୍ୟ ରହିଛି । ସପ୍ତମ ଓ ଶେଷ ଦିନକୁ ‘ଗୁରୁପୂଜା’ କୁହାଯାଏ । ନଚନୀ ଡଙ୍ଗର ନାମକ ଏକ ପାହାଡ଼ ଉପରେ ପୂଜା କରାଯାଏ । ଜାନି ନିକଟବର୍ତ୍ତୀ ଝରଣାରୁ ପବିତ୍ର ଜଳ ଆଣି ପ୍ରତ୍ୟେକ ଘର ଉପରେ ଛିଞ୍ଚନ୍ତି । ପରେ ପବିତ୍ର ଟାଙ୍ଗି ଓ ବଳି ଛୁରୀକୁ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ପରବର୍ତ୍ତୀ ପର୍ବ ପର୍ଯ୍ୟନ୍ତ ଜାନିଙ୍କ ଘରେ ସଂରକ୍ଷିତ ରଖାଯାଏ।
କନ୍ଧ ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ହେଉଛି ଭୀମା ବିହା ବା ଭୀମା ଙ୍କ ବିବାହ ଉତ୍ସବ । ଏହା ପ୍ରତି ବାର ବର୍ଷରେ ଥରେ ପାଳିତ ହୁଏ ଏବଂ ପ୍ରାୟ ଏକ ବର୍ଷ ଧରି ଚାଲିଥାଏ । ଏହା ବ୍ୟତୀତ ଭୀମା ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ବଳିଯାତ୍ରା ପାଳନ କରାଯାଏ।

କଳାହାଣ୍ଡିର ସର୍ବାଧିକ ପ୍ରସିଦ୍ଧ ଲୋକନୃତ୍ୟ ହେଉଛି ଢାପ ନୃତ୍ୟ। ଏହି ନୃତ୍ୟର ନାମ ‘ଢାପ’ ନାମକ ବାଦ୍ୟଯନ୍ତ୍ରରୁ ଆସିଛି । ଯୁବକ ଓ ଯୁବତୀ ଉଭୟ ଏହି ନୃତ୍ୟରେ ଅଂଶଗ୍ରହଣ କରନ୍ତି । ଧାଙ୍ଗରାମାନେ ଢାପ ବଜାଇ ଗୀତ ଗାଇଥାନ୍ତି ଓ ନୃତ୍ୟ କରନ୍ତି; ଅନ୍ୟପକ୍ଷରେ ଧାଙ୍ଗିରିମାନେ ବୃତ୍ତାକାର କିମ୍ବା ଅର୍ଦ୍ଧବୃତ୍ତାକାର ଶୈଳୀରେ ନୃତ୍ୟ ପରିବେଷଣ କରନ୍ତି । ନୃତ୍ୟ ସମୟରେ ସେମାନେ ପରସ୍ପରଙ୍କ ଅଣ୍ଟା ଓ କାନ୍ଧ ଧରି ଲୟବଦ୍ଧ ଭାବରେ ଗତି କରନ୍ତି। ଢାପ ନୃତ୍ୟର ଗୀତଗୁଡ଼ିକ ମୁଖ୍ୟତଃ ପ୍ରେମ ଓ ଯୁବ ହୃଦୟର ଭାବନାକୁ କେନ୍ଦ୍ର କରି ରଚିତ ହୋଇଥାଏ । ଏହି ନୃତ୍ୟ କେବଳ ମନୋରଞ୍ଜନ ନୁହେଁ; ଏହା ଯୁବକ-ଯୁବତୀଙ୍କ ପାଇଁ ଜୀବନସାଥୀ ଚୟନର ଏକ ସାମାଜିକ ମଞ୍ଚ ମଧ୍ୟ ଅଟେ । ସ୍ୱାଧୀନତା ପରଠାରୁ ଆଦିବାସୀ ବିକାଶ ନାମରେ ବହୁ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ସେମାନଙ୍କ ଜୀବନଧାରାରେ ଆଶାନୁରୂପ ପରିବର୍ତ୍ତନ ଦେଖାଯାଇନାହିଁ । ବରଂ ବିକାଶ ପ୍ରକଳ୍ପର ନାମରେ ଅନେକ ଆଦିବାସୀ ନିଜ ପୈତୃକ ଭୂମିରୁ ବିସ୍ଥାପିତ ହୋଇଛନ୍ତି ।

ଜଙ୍ଗଲ ସଦା ଆଦିବାସୀ ଅର୍ଥନୀତି ଓ ଭାବନାତ୍ମକ ଜୀବନର ମେରୁଦଣ୍ଡ ରହିଆସିଛି । କିନ୍ତୁ ବିଭିନ୍ନ ବନ ଆଇନ ସେମାନଙ୍କର ପାରମ୍ପରିକ ଅଧିକାରକୁ ସୀମିତ କରିଦେଇଛି । ଅନ୍ୟପକ୍ଷରେ ବିଶ୍ୱାୟନର ପ୍ରଭାବ ମଧ୍ୟ ଆଦିବାସୀ ସଂସ୍କୃତି ପାଇଁ ଏକ ଗୁରୁତର ଚ୍ୟାଲେଞ୍ଜ ହୋଇଉଠିଛି ।
ଆଦିବାସୀମାନେ ପ୍ରାୟତଃ ବିକାଶମୂଳକ ପ୍ରକଳ୍ପକୁ ବିରୋଧ କରନ୍ତି, କାରଣ ସେମାନଙ୍କ ଆଶଙ୍କା ଥାଏ ଯେ ଏହା ସେମାନଙ୍କର ପରିବେଶ, ସଂସ୍କୃତି ଓ ଜୀବନଧାରାକୁ କ୍ଷତିଗ୍ରସ୍ତ କରିପାରେ । ହଠାତ୍ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ସହ ଖାପ ଖୁଆଇବାରେ ଅସୁବିଧା ସୃଷ୍ଟି ହେଲେ ସାଂସ୍କୃତିକ ବିଚ୍ଛିନ୍ନତାର ଆଶଙ୍କା ବଢ଼ିଯାଏ, ଯାହା ପ୍ରତିରୋଧ ଓ ଅସନ୍ତୋଷର ମନୋଭାବକୁ ଜନ୍ମ ଦିଏ । ତେଣୁ ପ୍ରକୃତ ଆଦିବାସୀ ବିକାଶ ପାଇଁ ସେମାନଙ୍କର ମନସ୍ତତ୍ତ୍ୱ, ସାଂସ୍କୃତିକ ଭାବନା ଏବଂ ସାମାଜିକ ଦୃଷ୍ଟିଭଙ୍ଗୀକୁ ପ୍ରଥମେ ବୁଝିବା ଆବଶ୍ୟକ । ଶିଳ୍ପାୟନ ଓ ବିକାଶ ଏପରି ଭାବରେ ଆଗେଇବା ଉଚିତ ଯାହା ସେମାନଙ୍କ ଉପରେ ସାଂସ୍କୃତିକ ଆକ୍ରମଣ ଭାବେ ପ୍ରତୀତ ନ ହୁଏ । ବିକାଶ ଏକ ଭାର ନୁହେଁ, ବରଂ ଏକ ସହଭାଗୀତାମୂଳକ ପ୍ରକ୍ରିୟା ହେବା ଉଚିତ, ଯାହା ମାଧ୍ୟମରେ ଆଦିବାସୀମାନେ ନିଜସ୍ୱ ପରିଚୟ ଓ ସାଂସ୍କୃତିକ ସ୍ୱତନ୍ତ୍ରତାକୁ ଅକ୍ଷୁଣ୍ଣ ରଖି ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିବେ । ସେମାନଙ୍କର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ଯଦି ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଏ, ତେବେ ସେମାନେ ନିଜର ମୌଳିକ ପରିଚୟକୁ ହରାଇବେ । ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଏକ ସନ୍ତୁଳିତ, ମାନବିକ ଓ ସାଂସ୍କୃତିକ ଭାବେ ସମ୍ବେଦନଶୀଳତା ର ପ୍ରଦର୍ଶନ ପୂର୍ବକ ତା ପ୍ରତି ନିଜର ଆନୁଗତ୍ୟ ପୋଷଣ କରିବା ହିଁ ବର୍ତ୍ତମାନ ସମୟର ଆହ୍ୱାନ ।

ସିଦ୍ଧାର୍ଥ ଶାଶ୍ୱତ ପଣ୍ଡା
ଜୁନାଗଡ, କଳାହାଣ୍ଡି
ମୋ – +୯୧ ୯୪୩୮୩୯୭୦୨୯
Gmaill :- siddharthkashyap971@gmail.com

ସନ୍ଦର୍ଭ ଗ୍ରନ୍ଥାବଳୀ
୧. ବିଶି, ଦୋଳ ଗୋବିନ୍ଦ (୧୯୯୦) — କନ୍ଧ ଜାତିର ବିବାହ ପ୍ରଥା (ଓଡ଼ିଆ), ସଇଁତଳା, ବଲାଙ୍ଗୀର।
୨. ଦାଶ, ରବିନାରାୟଣ (୧୯୮୩) — ଓଡ଼ିଶାର ଆଦିବାସୀ ବିବାହ (ଓଡ଼ିଆ), କଟକ।
୩. ନେପାକ, ଭାଗୀରଥୀ (୧୯୭୭) — ଓଡ଼ିଶାର ଆଦିବାସୀ ସଂସ୍କୃତି (ଓଡ଼ିଆ), ଭୁବନେଶ୍ୱର।
୪. ମିଶ୍ର, ଡଃ ମହେନ୍ଦ୍ର କୁମାର (୧୯୯୨) — ପଶ୍ଚିମ ଓଡ଼ିଶାର ଆଦିବାସୀ ଲୋକ ସାହିତ୍ୟ (ଓଡ଼ିଆ),
ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର।
୫. ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା (ସମ୍ପାଦିତ ପ୍ରକାଶନ) :
• (୧୯୯୩) — କଳାହାଣ୍ଡିର ଆଦିବାସୀ ସଂସ୍କୃତି
• (୧୯୯୮) — କଳାହାଣ୍ଡିର ଲୋକ ଅନୁଷ୍ଠାନ
• (୨୦୦୧) — କଳାହାଣ୍ଡିର ଲୋକନୃତ୍ୟ (ପ୍ରଥମ ଭାଗ)
• (୧୯୮୯) — ଗିରିଝରା (କଳାହାଣ୍ଡିର କଳା ଓ ସଂସ୍କୃତି ବିଶେଷାଙ୍କ)
୬. ମିଶ୍ର, ଡଃ ମହେନ୍ଦ୍ର କୁମାର (୨୦୦୭) — Oral Epics of Kalahandi, ଚେନ୍ନାଇ।
୭. ଶର୍ମା, କୃଷ୍ଣ (୧୯୭୯) — The Kondhs of Orissa, ନୂଆଦିଲ୍ଲୀ।
୮. ସେନାପତି, ଏନ୍. (୧୯୮୦) — Gazetteers of Kalahandi, ଓଡ଼ିଶା ସରକାର, କଟକ।
୯. ପଣ୍ଡା, ସିଦ୍ଧାର୍ଥ ଶାଶ୍ୱତ (୨୦୨୫) — ମହାକାନ୍ତାରକ : କଳାହାଣ୍ଡିର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର
ଏକ ଅନ୍ୱେଷଣାତ୍ମକ ଯାତ୍ରା, ପଶ୍ଚିମା ପବ୍ଲିକେସନ୍ସ, ଭୁବନେଶ୍ୱର।
୧୦. ରଥ, ରଘୁନାଥ (ମେ, ୨୦୧୦) — “କଳାହାଣ୍ଡିର କନ୍ଧ ସଂସ୍କୃତି” (Odisha Review ପତ୍ରିକା)।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.