କିଡିଙ୍ଗରେ କେପିଏଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଯାପିତ: ୟଙ୍ଗ ଷ୍ଟାର ଏକାଦଶ ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ଗାଁ ଖେଳପଡ଼ିଆଠାରେ ଦଶ ଦିନ ଧରି ଚାଲିଥିବା ‘କେପିଏଲ୍’ କ୍ରିକେଟ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଏକ ରୋମାଞ୍ଚକର ଫାଇନାଲ୍ ସହ ସମାପ୍ତ ହୋଇଛି। ଫାଇନାଲ୍ ମୁକାବିଲାରେ ୟଙ୍ଗ ଷ୍ଟାର ଏକାଦଶ, ଷ୍ଟାର ଏକାଦଶକୁ ପରାସ୍ତ କରି ଚଳିତ ବର୍ଷର ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିବା ୟଙ୍ଗ ଷ୍ଟାର ଏକାଦଶର ନିୟନ୍ତ୍ରିତ ବୋଲିଂ ଆଗରେ ଷ୍ଟାର ଏକାଦଶ ୧୨ ଓଭରରେ ୯୨ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ୟଙ୍ଗ ଷ୍ଟାର ଏକାଦଶ ୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୟଙ୍ଗ ଷ୍ଟାର ଏକାଦଶ ଅତ୍ୟନ୍ତ ସନ୍ତୁଳିତ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଦଳ ୧୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୯୪ ରନ୍ କରି ଟ୍ରଫି ହାତେଇ ନେଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ର ଉତ୍କଣ୍ଠା ବଜାୟ ରହିଥିଲା।

ଉଦଯାପିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ସରପଞ୍ଚ ସୁଶ୍ରୀ ମମତା ଶବର ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ଯୋଗଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ବରିଷ୍ଠ ନାଗରିକ ବିଶ୍ଵନାଥ ଶବର, ଯୁବ ସାମ୍ବାଦିକ ନିଲେଶ କୁମାର ନାଗ, ପରିଚାଳନା କମିଟି ସଦସ୍ୟ ଦଶରଥ ଶବର, ତରୁଣ ଶବର, ଚନ୍ଦ୍ରମଣୀ ଭୋଇ, ସୁରେଶ ଚନ୍ଦ୍ର ପଣ୍ଡା, ବଲ୍ଲବି ପଣ୍ଡା, ସାନ ବଗର୍ତ୍ତି, ମନୋଜ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ବିଜେତା ୟଙ୍ଗ ଷ୍ଟାର ଏକାଦଶ ଓ ଉପ-ବିଜେତା ଷ୍ଟାର ଏକାଦଶକୁ ଅତିଥିମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଟ୍ରଫି ସହ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ସତ୍ୟମ୍ବର ଶବର, ବେଷ୍ଟ ବୋଲର ଭାବେ ଲକିର ଦାସ ମହାନନ୍ଦ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ଶୁଭମ ବଗର୍ତ୍ତିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ସୁଶ୍ରୀ ଶବର ନିଜ ଅଭିଭାଷଣରେ କହିଥିଲେ, “ଗ୍ରାମାଞ୍ଚଳରେ ଏଭଳି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ସହ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ। ପଞ୍ଚାୟତ ତରଫରୁ ଏଭଳି ଆୟୋଜନକୁ ସବୁବେଳେ ପ୍ରୋତ୍ସାହନ ଦିଆଯିବ।”

ତେବେ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ କିଡିଙ୍ଗ ସମେତ ଆଖପାଖ ଗାଁରୁ ଶତାଧିକ କ୍ରିକେଟପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟର ଧାରା ବିବରଣୀ ଗୋପାଳ ଦାସ ମହାନନ୍ଦ ପ୍ରଦାନ କରିଥିବା ବେଳେ ସ୍କୋର ବୋର୍ଡ ଦାୟିତ୍ଵରେ ପଙ୍କଜ ବଗର୍ତ୍ତି ଓ ଅରୁଣ କୁମାର ଛତ୍ରିଆ ଦାଇତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମର ଶେଷରେ ଆୟୋଜକ କମିଟି ପକ୍ଷରୁ ଅଞ୍ଚଳର ପୂର୍ବତନ ଖେଳାଳୀମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କମିଟି ସକ୍ରିୟ ସଦସ୍ୟ ବୁଦ୍ଧିଆ ବଗର୍ତ୍ତି, ଇଶ୍ଵର ବଗର୍ତ୍ତି, ଡିଲେଶ କୁମାର ନାଗ, ଚନ୍ଦ୍ରଧ୍ୱଜ ଶବର, ଗୁଣ ବଗର୍ତ୍ତି, ଦେବାନନ୍ଦ ବଗର୍ତ୍ତି, ଭୁତେଶ୍ଵର ଶବର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.